ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଝାରପଡା ଜେଲରୁ ମୁକୁଳିଛନ୍ତି। ୨୦୨୦ ଡିସେମ୍ବର ୩ ତାରିଖରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଦୀର୍ଘ ୬ ମାସ ପରେ ସେ ଜେଲ୍ ରୁ ମୁକୁଳିଛନ୍ତି। ଶୁକ୍ରବାର ଦିନ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତା’ସହିତ ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ଗଣମାଧ୍ୟମରେ କୌଣସି ବିବୃତ୍ତି ନଦେବାକୁ ତଥା ସାକ୍ଷୀମାନଙ୍କୁ ଧମକ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲା ଏବଂ ଗତ କାଲି ଷଷ୍ଠ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଜରିଆରେ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଗଞ୍ଜାମର ଭିନ୍ନ ଭିନ୍ନ ଥାନାରେ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିଲା। ତେବେ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଆଜେ ସେ ଜେଲ୍ ରୁ ମୁକୁଳିଛନ୍ତି।

Related Posts