ବିଜେପି ବିଧାୟକଙ୍କ ଅଜବ ଯୁକ୍ତି : “ଦରବୃଦ୍ଧି ଯଦି ସମସ୍ୟା ହେଉଛି ତାହେଲେ ଖାଇବା ପିଇବା ଓ ପେଟ୍ରୋଲ୍ ଭରିବା ଛାଡିଦିଅ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୋଟିଏ ପଟେ ଭାରତ କରୋନା ଭଳି ଭୟଙ୍କର ମହାମାରୀର ମୁକାବିଲା କରୁଛି ଅନ୍ୟ ପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ ହେଲାଣି । ମିଡିଆ ରିପୋର୍ଟ ଅନୁଯାୟୀ କିଛି କିଛି ସ୍ଥାନରେ ପେଟ୍ରୋଲ ଦାମ୍ ଶତକ ପାର କରିଛି। ଖାଇବା ତେଲ ସମେତ ଅନ୍ୟାନ୍ୟ ନିତ୍ୟବ୍ୟବାହାର୍ଯ୍ୟ ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସାଙ୍ଗକୁ ଦରବୃଦ୍ଧି ସତେ ଯେପରି ବୋଝ ଉପରେ ନଳିତା ବିଡା ସାଜିଛି । ଏହା ମଧ୍ୟରେ ଛତିଶଗଡର ବିଜେପି ବିଧାୟକ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ଏକ ବିବାଦୀୟ ବୟାନକୁ ନେଇ କଡା ସମାଲୋଚନା ହେଉଛି। ବିଜେପି ନେତା କହିଛନ୍ତି ଯେ, ଯେଉଁମାନେ ଦରବୃଦ୍ଧିକୁ ଜାତୀୟ ବିପର୍ଯ୍ୟୟ ବୋଲି କହୁଛନ୍ତି । ସେମାନେ ଖାଇବା ପିଇବା ଏବଂ ପେଟ୍ରୋଲ୍ ଭରିବା ଛାଡିଦିଅନ୍ତୁ । ତାଙ୍କର ଏହି ବୟାନକୁ ନେଇ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି। ଦଳ ପକ୍ଷରୁ କୁହାଯାଇଛି ଯେ ସେହିଦିନ ଆଉ ବେଶୀ ଦୂର ନୁହେଁ ଯେତେବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦରବୃଦ୍ଧିକୁ ବିରୋଧ କରୁଥିବା ଲୋକଙ୍କୁ ଦେଶ ଛାଡିବାକୁ କହିବେ। ବିଜେପି ବିଧାୟକ କହିଛନ୍ତି ,” ମୁଁ ଭାବୁଛି ଯଦି କଂଗ୍ରେସ କର୍ମୀ ଏବଂ ଯେଉଁମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି ସେମାନେ ଏଭଳି କରନ୍ତି ତେବେ ଦରବୃଦ୍ଧି ଆପେ ଆପେ ନିୟନ୍ତ୍ରଣ ହୋଇଯିବ । ” ତେବେ ବିଧାୟକଙ୍କ ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ଭାଇରାଲ ହେଉଛି । ଲୋକେ ତାଙ୍କୁ କଡା ସମାଲୋଚନା କରୁଛନ୍ତି। ବିବାଦ ବଢିବା ପରେ ଅଗ୍ରୱାଲ ସଫେଇ ଦେଇ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମୁଁ ବ୍ୟଙ୍ଗାତ୍ମକ ଭାବେ ଏକ ବିବୃତ୍ତି ଦେଇଥିଲି । ବିଜେପି ନେତାଙ୍କ ବୟାନକୁ ନେଇ କଂଗ୍ରେସ ନେତା ଶୈଳେଶ ନିତିନ ତ୍ରିବେଦୀ କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ। ଏବେ ଏମିତି କହୁଛନ୍ତି ଆଉ କିଛି ଦିନ ଗଲେ ସେମାନେ କହିବେ ଯେ ଯେଉଁମାନେ କେନ୍ଦ୍ରକୁ ବିରୋଧ କରୁଛନ୍ତି ସେମାନେ ଭାରତ ଛାଡି ଚାଲିଯିବା ଉଚିତ୍।” ଶନିବାର ଦିନ କଂଗ୍ରେସ ନେତା ଓ କର୍ମୀମାନେ ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ନିଜ ଘର ସମ୍ମୁଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ।

Related Posts