
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନନ୍ଦିଗ୍ରାମ ଆସନରୁ ନିର୍ବାଚନ ହାରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ପାରମ୍ପରିକ ଆସନ ଭବାନୀପୁରରୁ ଉପ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ମମତାଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଦଳରୁ କେହି ଆଗ୍ରହୀ ନୁହନ୍ତି ବୋଲି ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି। ଏ ସମ୍ପର୍କରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ତେବେ ଚୌଧୁରୀଙ୍କ ଏହି ପଦକ୍ଷେପ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହାପରେ ଭବିଷ୍ୟତରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ଗଠବନ୍ଧନ ହେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, “ମୁଁ ଅନୁଭବ କରୁଛି ଯେ ଭବାନୀପୁର ଆସନରୁ ମମତା ବାନାର୍ଜୀଙ୍କ ବିରୋଧରେ ଆମେ କୌଣସି ପ୍ରାର୍ଥୀ ଦେବା ଉଚିତ ହେବ ନାହିଁ । ମୁଁ ସୋନିଆ ଗାନ୍ଧୀଙ୍କୁ ଏ ବିଷୟରେ ଏକ ଚିଠି ମଧ୍ୟ ଲେଖିଛି । ଟିଏମସି ବିରୋଧରେ ଆମର ଲଢେଇ ଜାରି ରହିବ କିନ୍ତୁ ଏହି ପ୍ରସଙ୍ଗରେ ମୁଁ ଭାବୁଛି ଯେ ତାଙ୍କ ବିରୁଦ୍ଧରେ କୌଣସି ପ୍ରାର୍ଥୀ ଦେବା ଉଚିତ ନୁହେଁ । ଯେହେତୁ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ଦେବାର କୌଣସି ଅର୍ଥ ନାହିଁ ବୋଲି ଚୌଧୁରୀ କହିଛନ୍ତି। ତେବେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଏପର୍ଯ୍ୟନ୍ତ ଅନୁମୋଦନ କରିନାହାଁନ୍ତି। ମେ ୨୧ ତାରିଖରେ, ଟିଏମସି ବିଧାୟକ ତଥା ମନ୍ତ୍ରୀ ସୋଭନଦେବ୍ ଚଟ୍ଟୋପାଧ୍ୟାୟ ବିଧାୟକ ପଦରୁ ଇସ୍ତଫା ଦେଇ ଭବାନୀପୁର ଆସନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଛାଡିଥିଲେ । ଦଳର ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ସେ ବାଚସ୍ପତି ବିମାନ ବନ୍ଦୋପାଧ୍ୟାୟଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଟିଏମସିର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯେତେବେଳେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉପ ନିର୍ବାଚନ ତାରିଖ ଘୋଷଣା ହେବ ସେତେବେଳେ ବାନାର୍ଜୀ ଭବନପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ନନ୍ଦିଗ୍ରାମରୁ ନିର୍ବାଚନ ହାରିବା ସତ୍ତ୍ୱେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯଦି ବିଧାୟକ ଭାବରେ ନିର୍ବାଚିତ ନ ହୁଅନ୍ତି ତେବେ ତାଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାର ୬ ମାସ ମଧ୍ୟରେ ନିର୍ବାଚନ ଲଢି ବିଧାୟକ ହେବାକୁ ପଡ଼ିବ ।