ବିଜେପିର ମିଶନ ୨୦୨୪; ଗତ ନିର୍ବାଚନରେ ହାରି ଯାଇଥିବା ୧୪୪ ଆସନକୁ ନେଇ ନଡ୍ଡା ଓ ଶାହାଙ୍କ ସ୍ଵତନ୍ତ୍ର ରଣନୀତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ଏବେ ଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ ମଙ୍ଗଳବାର ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ହୋଇଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ ।ଦଳ ପକ୍ଷରୁ ସେହି ୧୪୪ଟି ଆସନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ଯେଉଁ ଆସନ ଗୁଡିକରେ ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି କମ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା।

ମିଳିଥିବା ଖବର ଅନୁସାରେ ଏହି ଆସନ ଗୁଡିକୁ ବିଭିନ୍ନ ଗ୍ରୁପରେ ଭାଗ କରାଯାଇଥିଲା। ଏବଂ ପ୍ରତ୍ୟେକ ଗ୍ରୁପର ନେତୃତ୍ୱ ଜଣେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଥିଲା। ଏହି ନିର୍ବାଚନ କ୍ଷେତ୍ରରେ ବିଜେପିର ସ୍ଥିତି କିପରି ରହିଛି ସେ ବାବଦରେ କେନ୍ଦ୍ରମନ୍ତ୍ରୀମାନେ ଏହି ବୈଠକରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏହାସହ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟକୁ ସୁନିଶ୍ଚତ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ। ତୃଣମୂଳ ସ୍ତରରୁ ମିଳିଥିବା ରିପୋର୍ଟକୁ ଆଧାର କରି ଏହି ଆସନ ଗୁଡିକ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ଏହାସହ ମନ୍ତ୍ରୀମାନଙ୍କୁ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Related Posts