
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ କାହାକୁ ଅନାଥ କରିଦେଇଛି ତ ପୁଣି କାହା ମୁହଁରୁ ଦାନା ଛଡେଇ ନେଇଛି। ଏମିତି ଏକ ଦୁଃଖଦ ଖବର ଆସିଛି ଉତ୍ତରପ୍ରଦେଶର ଆଲିଗଡରୁ। ଗତ ବର୍ଷ କୋଭିଡ୍ ର ପ୍ରଥମ ଲହରରେ ସ୍ବାମୀ ଚାଲିଯିବା ପରେ ବିଧବା ପତ୍ନୀ ଜଣକ ଏକ କାରଖାନାରେ କାମ କରି ପରିବାର ଚଳାଉଥିଲେ। କିନ୍ତୁ ଏପ୍ରିଲ ମାସରେ ଦ୍ବିତୀୟ ଲହରରେ ଲକଡାଉନ୍ ଲାଗି କାରଖାନା ବନ୍ଦ ହୋଇଯିବାରୁ ପରିବାର ପୋଷିବା କଷ୍ଟକର ହୋଇଗଲା। ବିଧବା ମହିଳା ଗୁଡି(୪୦) ଏବଂ ତାଙ୍କର ପାଞ୍ଚ ପିଲା କିଛି ଦିନ ଭୋକରେ ରହିବା ପରେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଲିଗଡର ମାଲଖାନ ସିଂ ଜିଲ୍ଲା ଡାକ୍ତରଖାନାର ଡାକ୍ତର କହିଛନ୍ତି ପରିବାରର ୬ ଜଣ ସଦସ୍ୟଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ଏହା ପରେ କିଛି ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଏତେ ଗୁରୁତର ଥିଲା ଯେ ସେମାନେ କଥା ପଦୁଟିଏ ବି କହି ପାରୁନଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ସେ କହିଛନ୍ତି , ” ଗତ ବର୍ଷ କୋଭିଡ -19 ର ପ୍ରଥମ ଲହରରେ ତାଙ୍କ ପରିବାର ଏକମାତ୍ର ରୋଜଗାର କରୁଥିବା ତାଙ୍କ ସ୍ବାମୀ ଚାଲିଗଲେ । ଏହା ପରେ ସେ ଏକ କାରଖାନାରେ କାମ କରି କିଛି ରୋଜଗାର କରୁଥିଲେ। କିନ୍ତୁ ଦ୍ୱିତୀୟ ଲହରରେ କରାଖାନା ବନ୍ଦ ହୋଇଯିବାରୁ ଆଉ ରୋଜଗାର ମିଳିଲା ନାହିଁ। ତାଙ୍କ ବଡ ପୁଅ ଅଜୟ ମଧ୍ୟ ଦିନମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲା କିନ୍ତୁ ମହାମାରୀର ଦ୍ୱିତୀୟ ଲହରରେ ଏପ୍ରିଲରେ ଲକଡାଉନ ଲାଗିବାରୁ ରୋଜଗାରର ସମସ୍ତ ବାଟ ବନ୍ଦ ହୋଇଗଲା। ଆଲିଗଡର ସସ୍ନି ଗେଟ୍ ପୋଲିସ୍ ଷ୍ଟେସନ ଅଧୀନରେ ଥିବା ମନ୍ଦିର କା ନାଗଲା ଠାରେ ସେମାନଙ୍କ ଘର। ଗୁଡି କହିଛନ୍ତି, ” ପ୍ରଥମେ କିଛି ଦିନ ଯେମିତି ସେମିତି ଚଳିଗଲା। ପରେ ଘରୁ ଖାଦ୍ୟ ସାମଗ୍ରୀ ଶେଷ ହୋଇଯିବାରୁ ଆଠ ସପ୍ତାହ ପର୍ଯ୍ୟନ୍ତ ସେମାନେ ଚପାତି ଖାଇ ବଞ୍ଚିଗଲେ। କିନ୍ତୁ ୧୦ ଦିନ ପୂର୍ବରୁ ସେହି ଚପାତି ବି ଶେଷ ହୋଇଗଲା। ଆଉ ସେହିଦିନ ଠାରୁ ସେମାନେ ଭୋକିଲା ଅଛନ୍ତି। ତେବେ ଘଟଣା ସାମ୍ନାକୁ ଆସିବା ପରେ ଳ ଡିଏମ୍ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ କୁନୱର ବାହାଦୂର ସିଂଙ୍କ ନେତୃତ୍ୱରେ ତିନିଜଣ ଅଧିକାରୀଙ୍କ ଏକ ଟିମ୍ ପଠାଇ ଘଟଣାର ତଦନ୍ତ କରିବା ସହ ପ୍ରଭାବିତ ପରିବାରକୁ ଖାଦ୍ୟ ସାମଗ୍ରୀ, ଏବଂ ପାଞ୍ଚ ହଜାର ଟଙ୍କା ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହଭଳି ଏକ ସାମାଜିକ ସଂଗଠନ ‘ହ୍ୟାଣ୍ଡସ୍ ଫର୍ ହେଲପ୍’ ପରିଚାଳନା କରୁଥିବା ସୁନୀଲ କୁମାର ମଧ୍ୟ ଗୁଡିଙ୍କ ପରିବାରକୁ ରାସନ ଯୋଗାଇ ଦେଇଛନ୍ତି ।