ବିଚ ରାସ୍ତାରେ ହେଲା ଗୁଳିକାଣ୍ଡ, ଘଟଣା ସ୍ଥଳରେ ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜସ୍ଥାନର ଭରତପୁର ଠାରେ ଘଟିଛି ଏକ ଛାତିଥରା ଘଟଣା । ଦିନ ଦିପ୍ରହରରେ ବିଚ୍ ରାସ୍ତାରେ ଡାକ୍ତର ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏସବୁ ଘଟଣା କଏଦ ହୋଇଯାଇଥିଲା ସିସିଟିଭି କ୍ୟାମେରାରେ । ତେବେ ଡାକ୍ତର ଦମ୍ପତି ସେମାନଙ୍କ ଘରୁ ନିଜ କ୍ଲିନିକ ଆଡକୁ ଯାଉଥିଲେ। ଠିକ୍ ଏହି ସମୟରେ ଦୁଇ ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଯାହାର ଫୁଟେଜ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି । ଏହାକୁ ଛାଡି ସବୁଠାରୁ ରୋଚକ କଥାଟି ହେଉଛି ଡାକ୍ତର ଦମ୍ପତି ଓ ତାଙ୍କ ମା ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ । ତେବେ ୪୬ ବର୍ଷୀୟ ସୁଦୀପ ଗୁପ୍ତା ଅନ୍ୟ ଜଣ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ । ଏନେଇ ତାଙ୍କ ସ୍ତ୍ରୀ ଆଉ ମା ଜାଣିବା ପରେ ସେହି ମହିଳା ଏବଂ ତାଙ୍କ ପୁଅକୁ ନିଆ ଜାଳି ମାରିଦେଇଥିଲେ । ଏହା ପରେ ଘଟଣାରେ ସଂପୃକ୍ତ ଥିବା ତିନି ଜଣ ଗିରଫ ହୋଇଥିଲେ । ଦୀର୍ଘ ଗୋଟିଏ ବର୍ଷ ଜେଲରେ ରହିବା ପରେ ସେମାନେ ଜାମିନରେ ବାହାରିଥିଲେ । ଅନ୍ୟପଟେ ପ୍ରାଥମିକ ଅନୁସନ୍ଧାନରୁ ଏହା ପ୍ରତିଶୋଧ ହତ୍ୟାକାଣ୍ଡ ବୋଲି ଭରତପୁର ପୋଲିସ ଅଧୀକ୍ଷକ ଦେବେନ୍ଦ୍ର ବିଷ୍ଣୁ କହିଛନ୍ତି ।

ମିଳିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନେ ମୃତ ମହିଳାଙ୍କ ଭାଇ ଏବଂ ସମ୍ପର୍କୀୟ ବୋଲି ଜଣାପଡିଛି । ତେବେ ଅଭିଯୁକ୍ତ ଅନୁଜ ଗୁରୁଜାର ଏବଂ ମହେଶ ଗୁରୁଜାର ଉଭୟଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି ବୋଲି ଜିଲ୍ଲା ପୁଲିସ ଅଧୀକ୍ଷକ ଦେବେନ୍ଦ୍ର କୁମାର ବିଷ୍ଣୁ କହିଛନ୍ତି ।
ଏ ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ବର୍ଗର ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏନେଇ
ରାଜସ୍ଥାନ ଭାରତୀୟ ଜନତା ପାର୍ଟି ମୁଖ୍ୟ ସତୀଶ ପୁନିୟା କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ଗତକାଲି ରାତିରେ ଜଣେ ସାଂସଦଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଆଜି ଦିନ ଦ୍ୱିପ୍ରହରରେ ଜଣେ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରାଯାଇଥିଲା। ଯଦି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଇନ ଶୃଙ୍ଖଳାକୁ ମଜବୁତ ନକରନ୍ତି, ତେବେ ଲୋକମାନେ ରାସ୍ତାରେ ଯାଇ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରିବେ ବୋଲି ସତୀଶ ପୁନିୟା କହିଛନ୍ତି ।

Related Posts