ବିଜେପି ବିଧାୟକଙ୍କ ଅଜବ ଯୁକ୍ତି , କହିଲେ – ‘ ତାଲିବାନ୍ ଯୋଗୁଁ ଭାରତରେ ବୃଦ୍ଧି ପାଉଛି ତୈଳ ଓ ରନ୍ଧନ ଗ୍ୟାସ୍ ଦର’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ପେଟ୍ରୋଲ ଏବଂ ଡିଜେଲ ସହିତ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ଏବେ ଆକାଶ ଛୁଆଁ। ପେଟ୍ରୋଲ-ଡିଜେଲ ପରେ ଏବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ସାଧାରଣ ଲୋକଙ୍କ ବଜେଟ ବାହାରେ। ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ୍ ର ବର୍ଦ୍ଧିତ ଦରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକର ବିଜେପି ବିଧାୟକ ଏକ ଅଜବ ଯୁକ୍ତି ବାଢିଛନ୍ତି। ଯାହାକୁ ନେଇ ଏବେ ସେ ସମାଲୋଚନାର ଶିକାର ହୋଇଛନ୍ତି। ତାଙ୍କ ଯୁକ୍ତି ହେଉଛି ଯେ, ତାଲିବାନ୍ ପାଇଁ ବଢୁଛି ରନ୍ଧନ ଗ୍ୟାସ ଓ ତୈଳ ଦର । 

କର୍ଣ୍ଣାଟକର ହୁବଲି ପଶ୍ଚିମ ଧରୱାଦର ବିଜେପି ବିଧାୟକ ଅରବିନ୍ଦ ବେଲାଦ୍  କହିଛନ୍ତି, ଆଫଗାନିସ୍ତାନ ସଙ୍କଟ ଓ ତାଲିବାନ୍ ଯୋଗୁଁ ଭାରତରେ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଛି । 

ଆଫଗାନିସ୍ତାନରେ ତାଲିବାନ୍ ରାଜ୍ ଯୋଗୁଁ ସାଉଦି ଆରବ , ଇରାକ୍ , ଓ ୟୁନାଇଟେଡ୍ ଆରବ ଏମିରେଟ୍ସ, ନାଇଜେରିଆ, କାନାଡା ଓ ଆମେରିକାରୁ ଅଶୋଧିତ ତୈଳ ଭାରତରେ ପହଂଚିବାରେ ସମସ୍ୟା ସୃଷ୍ଟି ହୋଇଛି । ଦେଶରେ ସଚେତନ ନାଗରିକ ଏହା ହୃଦୟଙ୍ଗମ କରୁଥିବାରୁ ଦର ବୃଦ୍ଧିର ପ୍ରତିବାଦ କରୁନାହାଁନ୍ତି ବୋଲି ବେଲାଦ୍ କହିଛନ୍ତି । ତାଙ୍କର ଏହି ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ତୈଳ ଆମଦାନି କରିବାରେ ଭାରତ ତୃତୀୟ ସ୍ଥାନରେ ରହିଛି। 

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଫଗାନିସ୍ତାନ ଠାରୁ ଭାରତ ତୈଳ ଆମଦାନୀ କରିବାର କୌଣସି ସୂଚନା ନାହିଁ । ରିପୋର୍ଟ ଅନୁଯାୟୀ , ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଭାରତକୁ ଅଶୋଧିତ ତୈଳ ବିକ୍ରି କରିବାରେ ଇରାକ୍, ସାଉଦି ଆରବ, ୟୁନାଇଟେଡ୍ ଆରବ ଏମିରେଟ୍ସ, ଆମେରିକା ଓ କାନାଡାର ନାଁ ରହିଛି । 

ଅଗଷ୍ଟ ୧୫ ରେ ଆଫଗାନିସ୍ତାନରେ  ତାଲିବାନ ଶାସନ ଫେରିବା ପରେ ଭାରତ ଏବଂ ଆଫଗାନିସ୍ତାନ ସମ୍ପର୍କ ତଥା ବାଣିଜ୍ୟିକ ସଂପର୍କ ଉପରେ ମଧ୍ୟ ପ୍ରଭାବ ପଡିଥିଲା, କିନ୍ତୁ ପେଟ୍ରୋଲ-ଡିଜେଲ ବିଷୟରେ ଦୁଇ ଦେଶ ମଧ୍ୟରେ କୌଣସି ବିବାଦ ନାହିଁ। କାରଣ ଆଫଗାନିସ୍ତାନ ଭାରତକୁ ଇନ୍ଧନ ରପ୍ତାନି କରୁଥିବା ଦେଶ ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ।

Related Posts