(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶିକ୍ଷାନୁଷ୍ଠାନରୁ ପୁଣି ଆସିଲା ରାଗିଂ ଅଭିଯୋଗ। ଅଭିଯୋଗ ପରେ ଏବେ ଅଶାନ୍ତ ଶିକ୍ଷାନୁଷ୍ଠାନ ପରିସର। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁରର ଚିପିଲିମାସ୍ଥିତ ଓୟୁଏଟି କୃଷି ମହାବିଦ୍ୟାଳୟ ପରିସରରେ । ଅଭିଯୋଗ ଅନୁସାରେ ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ରାଗିଂ କରୁଛନ୍ତି। ଏହି ଘଟଣାକୁ  ନେଇ ବିରୋଧ ବଢିବା ପରେ ମହାବିଦ୍ୟାଳୟରେ ଶାନ୍ତି ରକ୍ଷା ପାଇଁ ଡିନ୍‌ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇବା ସହ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି । 

ଏହାପରେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ହେଷ୍ଟଲର ଆଉ ଏକ ରୁମ୍ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଟି ହେଉଛି ଏତେ ସବୁ ଘଟଣା ଘଟିଯିବା ପରେ ମଧ୍ୟ ମହାବିଦ୍ୟାଳୟର ଆଣ୍ଟିଂ ରାଗିଂ ସେଲ୍‌କୁ ଆକ୍ଟିଭ୍‌ କରାଯାଇନାହିଁ କି ଘଟଣାର ତଦନ୍ତ କରାଯାଇନାହିଁ । ଏପଟେ ଘଟଣାକୁ ଚପାଇବାକୁ ଡିନ୍‌ ପ୍ରଫେସର ପଟ୍ଟନାୟକ ଉଦ୍ୟମ କରିବା ସହ ସେଭଳି କିଛି ହୋଇନଥିବା କହିଛନ୍ତି । କିନ୍ତୁ ବୁର୍ଲା ପୁଲିସ୍‌ ଘଟଣାକୁ ସ୍ୱୀକାର କରିଛି। ଗତକାଲି ଡିନ୍‌ଙ୍କୁ ପ୍ରଥମ ବର୍ଷର କିଛି ଛାତ୍ରଙ୍କ ଅଭିଭାବକ ରାଗିଂ ଅଭିଯୋଗ କରିଥିଲେ ବୋଲି ଏସ୍‌ଡିପିଓ ସତ୍ୟବ୍ରତ ଦାଶ କହିଛନ୍ତି ।

ସୂଚନା ମୁତାବକ, ଗତକାଲି ଡିନ୍‌ ଙ୍କୁ କିଛି ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଭାବକ ଫୋନ୍‌ କରି ରାଗିଂ କରାଯାଉଥିବା ଅଭିଯୋଗ ଆଣିଥିଲେ । ଅଭିଯୋଗ ଆସିବା ପରେ ଡିନ୍ କଲେଜ ଭିତରକୁ ପ୍ରବେଶ କରିବା ସମୟରେ କିଛି ତୃତୀୟ ବର୍ଷର ଛାତ୍ର ଉପସ୍ଥିତ ଥାଇ ପ୍ରଥମ ବର୍ଷର ଛାତ୍ରମାନେ ଧାଡ଼ି ବାନ୍ଧି ଯାଉଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଡିନ୍‌ ରାଗି ଯାଇଥିଲେ। ଅଭିଯୋଗ ହୋଇଛି ଯେ, ଡିନ୍ ଏହା ଦେଖି ହଠାତ୍ ରାଗି ଯାଇଥିଲେ ଏବଂ କିଛି ତୃତୀୟ ବର୍ଷର ଛାତ୍ରଙ୍କୁ ତାଗିଦ୍‌ କରିବା ସହ ମାଡ଼ ମାରିଥିଲେ । ଘଟଣାକୁ କେନ୍ଦ୍ର କରି ମହାବିଦ୍ୟାଳୟ ପରିସରରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଧାରଣାରେ ବସିପଡ଼ିଥିଲେ ।

ଏହି ଘଟଣାରେ ଡିନ୍‌ ଦୁଃଖ ପ୍ରକାଶ କରିବା ସହ ପିଲାଙ୍କ ସହ ଏଭଳି ଆଚରଣ କରିଥିବାରୁ ଦୁଃଖ ପ୍ରକାଶ କରି ଥିଲେ । କିନ୍ତୁ ଛାତ୍ର ମାନେ ଜିଦ୍ ଧରିଥିଲେ ଯେ ଡିନ୍‌ ଲିଖିତ କ୍ଷମା ପ୍ରାର୍ଥନା ନଦେବା ଯାଏ ଓ ଅଭିଯୋଗ ଆସିଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ କୌଣସି ସମସ୍ୟା ସୃଷ୍ଟି କରିବେନି ବୋଲି ଲିଖିତ ପ୍ରତିଶ୍ରୁତି ନଦେବା ଯାଏ ଧାରଣା ଉଠିବେ ନାହିଁ । ଏହି ସୂଚନା ପାଇ ଚିପିଲିମା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ଡିନ୍‌ ଲିଖିତ କ୍ଷମା ପ୍ରାର୍ଥନା କରିବା ପରେ ଛାତ୍ର ମାନେ ଧାରଣାରୁ ଉଠିଥିଲେ । 

ସେପଟେ, ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଭାବକ ଏହି ଅଭିଯୋଗ ଆଣିଥିବାରୁ ଏହି ଛାତ୍ରଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଙ୍କ ସହ ଗୋଟିଏ ଜାଗାରେ ନରଖି ଅନ୍ୟତ୍ର ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପକ୍ଷରେ , ଡିନ୍‌ଙ୍କ କାର୍ଯ୍ୟକାଳ ଆଉ କିଛି ଦିନ ବାକି ରହିଥିବାରୁ ସେ ଜାଣିଶୁଣି ବିବାଦରୁ ଦୂରରେ ରହିବାକୁ ଚେଷ୍ଟା କରୁଥିବାରୁ ସମାଧାନକୁ ଗୁରୁତ୍ୱାରୋପ କରିଥିବା ବି ଅଭିଯୋଗ ହେଉଛି ।