ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା, ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କାରୁବାକି ହଷ୍ଟେଲରେ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ। ହଷ୍ଟେଲ ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଛାତ୍ରୀନିବାସର ସମସ୍ତ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। କମିଶନରେଟ ପୋଲିସର ୩ଟି ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ତିନି ଜଣ ସିନିୟରଙ୍କ ସନ୍ଧାନ ପାଇବାକୁ ଚାଲିଛି ପଚରାଉଚରା। ଏ ସଂପର୍କରେ ଜୋନ-4 ଏସିପି ପରେଶ ରାଉତ ସୂଚନା ଦେଇଛନ୍ତି। ସେହିପରି ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି।

ସେପଟେ କାରୁବାକି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଇଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରିଛନ୍ତି। ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ। ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଆତ୍ମହତ୍ୟା ପଛରେ ରାଗିଂ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପୂର୍ବରୁ ରୁଚିକାଙ୍କ ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିଛି। ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗ ରଖି ମାନସିକ ନିର୍ଯାତନା ଦେଉଥିଲେ ବୋଲି ରୁଚିକା ଚିଠିରେ ଲେଖିଛନ୍ତି।

ହଷ୍ଟେଲ ଛାଡ଼ି ଚାଲିଯାଇଥିବା ୬ ଜଣ ଛାତ୍ରୀଙ୍କ ମଧ୍ୟରେ ଏହି ୩ ଜଣ ଛାତ୍ରୀ ଅଛନ୍ତି କି ? ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଛାତ୍ରୀଙ୍କ ପୈତୃକ ଗାଁ ଆଠଗଡ଼ କଖଡିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଶୋକାକୂଳ ପରିବେଶ ମଧ୍ୟରେ ରୁଚିକା ମହାନ୍ତିଙ୍କର ହୋଇଛି ଶେଷକୃତ୍ୟ ସମ୍ପନ୍ନ। ରୁଚିକା ମହାନ୍ତିଙ୍କ ମୃତଦେହକୁ ଆଠଗଡ଼ କଖଡି ଗାଁକୁ ନିଆଯାଇ ଗତ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି। ରୁଚିକା ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷ କଳା ଛାତ୍ରୀ ଥିଲେ। ସେ କାରୁବାକି ହଷ୍ଟେଲର ରୁମ୍ ନମ୍ବର ୨୦୧ ରେ ରହୁଥିଲେ। ୟୁପିଏସ୍ ସି ପାଇଁ ସେ ପ୍ରସ୍ତୁତି ଚଳାଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts