କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ୨୮ ତାଲିବାନ ମୃତ : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତି ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ତେବେ ଏହାରି ଭିତରେ କାବୁଲ ବିମାନବନ୍ଦର ବିସ୍ଫୋରଣରେ ୨୮ ତାଲିବାନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ଆସିଛି ।

 ତାଲିବାନର ଜଣେ ଅଧିକାରୀ ଶୁକ୍ରବାର ଦିନ ରଏଟର୍ସକୁ କହିଛନ୍ତି ଯେ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ସିରିଜ୍ ବିସ୍ଫୋରଣରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ତାଲିବାନର ଅତି କମରେ ୨୮ ଜଣ ସଦସ୍ୟ ଅଛନ୍ତି। ନାମ ନ କହିବା ସର୍ତ୍ତରେ ଜଣେ ଅଧିକାରୀ ରଏଟର୍ସକୁ କହିଛନ୍ତି ଯେ ଆମେରିକା ଅପେକ୍ଷା ତାଲିବାନ ତାହାର ଅଧିକ ସଦସ୍ୟଙ୍କୁ ହରାଇଛି ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଗୁରୁବାର ଦିନ ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରର ବି ଗେଟ୍‌ରେ ପ୍ରଥମ ବିସ୍ଫୋରଣ ହୋଇଥିଲା । କିଛି ସମୟ ପରେ ବିମାନବନ୍ଦର ନିକଟରେ ଥିବା ବରୁଣ ହୋଟେଲ ନିକଟରେ ଆଉ ଏକ ବିସ୍ଫୋରଣ ହୋଇଥିବା ନେଇ କୁହାଯାଇଛି। ବ୍ରିଟିଶ ସୈନ୍ୟମାନେ ସେଠାରେ ରହିଥିଲେ । 

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଜେନେରାଲ ମ୍ୟାକେଞ୍ଜି କହିଛନ୍ତି ‘ବର୍ତ୍ତମାନ କାବୁଲ ବିମାନବନ୍ଦରରେ ୫ ହଜାର ଲୋକ ବିମାନ ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ୧ ହଜାର ଆମେରିକୀୟ ଅଛନ୍ତି । ଅଗଷ୍ଟ ୧୪ ଠାରୁ ପ୍ରାୟ ଏକ ଲକ୍ଷ ଚାରି ହଜାର ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ୬୬ ହଜାର ଆମେରିକାର ନାଗରିକ ଏବଂ ୩୭ ହଜାର ସହଯୋଗୀ ସାମିଲ ଅଛନ୍ତି ।

Related Posts