ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ହତ୍ୟା ଧମକ: ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ସ୍ୱରାଙ୍କ ଘରକୁ ଆସିଲା ଚିଠି

ନୂଆଦିଲ୍ଲୀ: ଚିଠି ଲେଖି ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ହତ୍ୟା ଧମକ। କେହି ଦୁର୍ବୃତ୍ତ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ସ୍ୱରାଙ୍କ ଘରକୁ ଏକ ଚିଠି ଲେଖି ସେଥିରେ ହତ୍ୟା ଧମକ ଦେଇଛି। ମୁମ୍ବାଇ ବର୍ସୋଭାରୁ ଏହି ଧମକପୂର୍ଣ୍ଣ ଚିଠି ଆସିଛି। ଘଟଣାରେ ମୁମ୍ବାଇ ପୁଲିସ ଆଜି(ଜୁନ ୨୯) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପିଟିଆଇରେ ଏନେଇ ଖବର ପ୍ରକାଶ ପାଇଛି।

ଧମକପୂର୍ଣ୍ଣ ଚିଠି ମିଳିବା ପରେ ସ୍ୱରା ବରସୋଭା ଥାନାରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଅଜଣା ବ୍ୟକ୍ତି ବିରୋଧରେ ଏକ ଅଜ୍ଞାତ(ନନ୍‌ କଗ୍ନିଜେବଲ- ପୁଲିସ୍ ବିନା ୱାରେଣ୍ଟରେ ଗିରଫ କରିପାରିବନି) ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସ୍ୱରାଙ୍କୁ ମିଳିଥିବା ଧମକପୂର୍ଣ୍ଣ ହାତ ଲେଖା ଚିଠିରେ ହିନ୍ଦୀରେ ଲେଖାଯାଇଛି। ବୀର ସବରକରଙ୍କୁ ଅପମାନ ଦେଇଥିବାରୁ ତାଙ୍କୁ ଏଭଳି ଧକମ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଚିଠିରେ ଶେଷରେ ହସ୍ତାକ୍ଷରରେ ଲେଖାଯାଇଛି ‘ଏସ୍ ଦେଶ୍‌କେ ନବଜୱାନ’ ଅର୍ଥାତ ଏହି ଦେଶର ନୂଆପିଢ଼ି। ଦେଶର ଯୁବକ ସବରକରଙ୍କର ଅପମାନ ସହିପାରିବେ ନାହିଁ ବୋଲି ଚିଠିରେ ଲେଖାଯାଇଛି।

ସ୍ୱରା ଭାସ୍କର ଅନେକ ସମୟରେ ରାଜନୀତି ଓ ସାମାଜିକ ଘଟଣା ଉପରେ ଖୋଲାଖୋଲି ମନ୍ତବ୍ୟ ଦେଇ ବିବାଦରେ ଥାନ୍ତି। ୨୦୧୭ରେ ସେ ବୀର ସବରକରଙ୍କର ବିରୋଧରେ ଏକ ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ସେ ଲେଖିଥିଲେ “ ସବରକର ବ୍ରିଟିଶ ସରକାରଙ୍କୁ କ୍ଷମା ମାଗିଥିଲେ ଓ ଜେଲ୍‌ରୁ ମୁକୁଳିବାକୁ ଗୁହାରି କରିଥିଲେ। ତେଣୁ ନିଶ୍ଚିତ ଯେ ସେ ଜଣେ ବୀର ନୁହଁନ୍ତି।”

ସେହିପରି ୨୦୧୯ରେ ସ୍ୱରା ସବରକରଙ୍କ ବିଷୟରେ ଏକ ଭିଡିଓ ସହ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ବୀର ଶବ୍ଦକୁ ନେଇ ଆପତ୍ତି ଉଠାଇଥିଲେ।

Related Posts