ମହାରାଷ୍ଟ୍ର ମହାନାଟକ: ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ରାଜ୍ୟର ୨ଟି ସହରର ନାମ ପରିବର୍ତ୍ତନ କରିବା ପାଇଁ ଉଦ୍ଧବ ସରକାରଙ୍କ ନିଷ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୈତିକ ସଙ୍କଟ । ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଲେ ବଡ଼ ନିଷ୍ପତ୍ତି ନେଇଛନ୍ତି। ‘ଫ୍ଲୋର ଟେଷ୍ଟ’ ( ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ) ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ରାଜ୍ୟର ୨ଟି ସହରର ନାମ ପରିବର୍ତ୍ତନ କରିବା ପାଇଁ ଉଦ୍ଧବ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଜି ଆହୂତ କ୍ୟାବିନେଟ ବୈଠକରେ ଔରାଙ୍ଗାବାଦର ନାମ ବଦଳାଇ ସମ୍ଭାଜୀ ନଗର ଏବଂ ଓସମାନାବାଦକୁ ଧାରାଶିବ ନଗର ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର। ଏଥି ସହିତ ନଭିମୁମ୍ବାଇ ବିମାନବନ୍ଦରର ନାମ ମଧ୍ୟ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ରାଜନୈତିକ ସଙ୍କଟ ସମୟରେ ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇ ‘ହିନ୍ଦୁତ୍ୱ କାର୍ଡ’ ଖେଳିଥିବା କୁହାଯାଉଛି।

ମହାରାଷ୍ଟ୍ରର ଔରାଙ୍ଗାବାଦକୁ ସମ୍ଭାଜୀ ନଗର ନାମରେ ନାମିତ କରିବାକୁ ଶିବସେନା ଦୀର୍ଘ ଦିନ ଧରି ଦାବି କରିଆସୁଥିଲା। ଶିବସେନା ଏବଂ ଉଦ୍ଧବ ଠାକରେ ଅନେକ ସମୟରେ ଔରାଙ୍ଗାବାଦକୁ ସମ୍ଭାଜୀ ନଗର ବୋଲି ସମ୍ବୋଧନ କରିଆସୁଥିଲେ। ଏଥିସହିତ ଓସମାନାବାଦକୁ ଧାରାଶିବ ନଗର ନାମରେ ନାମିତ କରିବାକୁ ମଧ୍ୟ ଶିବସେନା ଦାବି କରିଥିଲା। ବିଦ୍ରୋହୀଙ୍କୁ ନିଜ ସହ ସାମିଲ କରିବା ପାଇଁ ଉଦ୍ଧବ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ କ୍ୟାବିନେଟ ବୈଠକରେ ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି ଅନାସ୍ଥା ଭୋଟ୍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆମ ବିରୋଧରେ ଯାଏ ତେବେ ମୁଁ ଇସ୍ତଫା ଦେବି।

Related Posts