ପ୍ରଧାନମନ୍ତ୍ରୀ ମୋଦୀ ଓ ପିଏମ୍ କେୟାରସ୍ ଫଣ୍ଡ୍ ରେ କିଣାଯାଇଥିବା ଭେଣ୍ଟିଲେଟର୍ ଉଭୟ କାମ କରିବାରେ ଫେଲ୍ : ରାହୁଲ୍ ଗାନ୍ଧୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ର ଦ୍ୱିତୀୟ ଲହର ରୋକିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରଣନୀତି ଫେଲ୍ ମାରୁଛି। କେତେବେଳେ ଗଙ୍ଗାରେ ଶବ ଭାସୁଛି ତ ପୁଣି କେତେବେଳେ ଅମ୍ଳଜାନ ଅଭାବରୁ ଲୋକଙ୍କ ଜୀବନ ଚାଲିଯାଉଛି। ଏମିତିକି ପିଏମ୍ କେୟାରସ୍ ଫଣ୍ଡ୍ ରେ କିଣାଯାଉଥିବା ଭେଣ୍ଟିଲେଟର ବି କାମ ଦେଉ ନଥିବା ଅଭିଯୋଗ ହେଉଛି। ମୋଦୀ ସରକାରଙ୍କ ଏହି ବିଫଳତାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ସେ ଟୁଇଟ୍ କରି କହିଛନ୍ତି ,” ପିଏମ୍ କେୟାରସ୍ ଫଣ୍ଡ୍ ରେ କିଣାଯାଉଥିବା ଭେଣ୍ଟିଲେଟର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିତରେ ବୁହତ୍ ସମାନତା ଅଛି। ପ୍ରଧାନମନ୍ତ୍ରୀଙ୍କ ଅତ୍ୟଧିକ ମିଛ ପ୍ରଚାର। ଆଉ ଦରକାର ସମୟରେ ଉଭୟ କାମ କରନ୍ତି ନାହିଁ। ”

ବିଶେଷ ଭାବେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ PM CARES ପାଣ୍ଠିରେ ଦିଆଯାଇଥିବା ଭେଣ୍ଟିଲେଟରଗୁଡିକ ଠିକ୍ ଭାବରେ କାମ କରୁନାହିଁ। କରୋନାର ଦ୍ବିତୀୟ ଲହରରେ ଭେଣ୍ଟିଲେଟର, ମେଡିକାଲ ଅମ୍ଳଜାନ ଏବଂ ଆଇସିୟୁ ବେଡ କୁ ନେଇ ଲୋକେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତର ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଅନେକ ରୋଗୀ ପ୍ରାଣ ହରାଉଛନ୍ତି। ଗତ ଶୁକ୍ରବାର ଦିନ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସଚିନ ସାୱନ୍ତ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ଭେଣ୍ଟିଲେଟର କାମ କରୁନଥିବା ଅଭିଯୋଗ କରିଛନ୍ତି ଏବଂ ଏ ନେଇ ରାଜ୍ୟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଗତ ସପ୍ତାହରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ରାଜ୍ୟରେ PM CARES ପାଣ୍ଠିରେ ଦିଆଯାଇଥିବା ଭେଣ୍ଟିଲେଟର କାମ କରୁନଥିବା ଅଭିଯୋଗ କରିଥିଲେ। ତେବେ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ସମାନ ଅଭିଯୋଗ ପଞ୍ଜାବର ବାବା ଫରିଦ ୟୁନିଭରସିଟି ଅଫ୍ ହେଲ୍ଥ ସାଇନ୍ସ୍ ରୁ ଆସିଥିଲା। ୟୁନିଭରସିଟିର ଭିସି ଅଭିଯୋଗ କରିଥିଲେ ଯେ PM CARES ପାଣ୍ଠି ଅଧୀନରେ ପ୍ରଦାନ କରାଯାଇଥିବା ୮୨ ଟି ଭେଣ୍ଟିଲେଟର ମଧ୍ୟରୁ ୬୨ ଟି କାମ କରୁନାହିଁ। ହସ୍ପିଟାଲ କର୍ମଚାରୀ ଅଭିଯୋଗ କରିଥିଲେ ଯେ ଭେଣ୍ଟିଲେଟର୍ ମାତ୍ର ଦୁଇ ଘଣ୍ଟା କାମ କରିବା ପରେ ଅଚଳ ହୋଇଯାଇଥିଲା। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଭେଣ୍ଟିଲେଟର ଲଗାଇବା ପାଇଁ ଟେକ୍ନିକାଲ ଟିମ୍ ନଥିବାରୁ ଅନେକ ଭେଣ୍ଟିଲେଟର ଅଚଳ ଅବସ୍ଥାରେ ପଡ଼ିରହିଛି। ତେବେ କେନ୍ଦ୍ର ସରକାର ଏହି ସବୁ ଅଭିଯୋଗ ଗୁଡିକୁ ଭିତ୍ତିହୀନ ବୋଲି କହିଛନ୍ତି।

Related Posts