ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ ଖୋଲି ଟ୍ୟୁମର୍ ବାହାର କଲେ ଓଡ଼ିଆ ଡାକ୍ତର

‘ଓପନ୍‌ ବ୍ରେନ୍‌ ସର୍ଜରୀ’ ନକରି ନାକର ବାଟ ଦେଇ ଏକ ବିରଳ ଅସ୍ତ୍ରୋପଚାର ସମ୍ଭବ କରିଛନ୍ତି ଜଣେ ଓଡ଼ିଆ ଡାକ୍ତର । ତାହା ପୁଣି ସମ୍ଭବ ହୋଇଛି ଆମ ରାଜ୍ୟରେ । ଏଭଳି ପ୍ରୟାସ ଜରିଆରେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ସଫଳତାର ସହିତ ବାହାର କରାଯାଇପାରିଛି । ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲରେ ଏପରି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି ।

ନବରଙ୍ଗପୁରର ସିଲୁ ଜେନା ନାମକ ଜଣେ ଯୁବ ଇଲେକ୍ଟ୍ରିସିଆନ ଗତ କିଛି ମାସ ଧରି ମୁଣ୍ଡର ଡାହାଣ ପାର୍ଶ୍ଵରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ସହ ଡାହାଣ ଆଖିରେ ସବୁ ପଦାର୍ଥ ଦୁଇ ଦୁଇଟି ଦେଖାଯିବା ଭଳି ସମସ୍ୟା ଭୋଗୁଥିଲେ । ବହୁ ସ୍ଥାନରେ ଚିକିତ୍ସା ପ୍ରୟାସ କରି ବିଫଳ ହେବା ପରେ ସେ ସମ୍ ହସ୍ପିଟାଲ୍‌ରେ ପହଞ୍ଚିଥିଲେ । ସେଠାରେ ଇଏନ୍‌ଟି ଆଣ୍ଡ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରୀର ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ତାଙ୍କ ଆଖିର ପଛ ପାଖ ଦେଇ ମସ୍ତିଷ୍କ ମଧ୍ୟକୁ ଯାଇଥିବା ସ୍ନାୟୁର ମଧ୍ୟ ଭାଗରେ ଏକ ଟ୍ୟୁମର ହୋଇଥିବା ପରୀକ୍ଷାରୁ ଜଣାପଡ଼ିଲା ପରେ ଡାକ୍ତର ସାହୁ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ମସ୍ତିଷ୍କର ମେକଲ୍ସ କେଭ୍ ପାଖାପାଖି ସ୍ଥାନରେ “ଟ୍ରାଇଜେମିନାଲ୍ ସ୍ୱାନୋମା” ହୋଇଥିବା ନେଇ ଏମ୍‌ଆର୍‌ଆଇ ରିପୋର୍ଟରୁ ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ମସ୍ତିଷ୍କକୁ ଖୋଲି ଓପନ୍ ବ୍ରେନ୍ ସର୍ଜରୀର ଆବଶ୍ୟକତା ଥିଲା ।

କିନ୍ତୁ ଏହା ଫଳରେ ବହୁ ସମସ୍ୟା ହୋଇପାରିଥାନ୍ତା । ଏହି ଚିକିତ୍ସା ପଦ୍ଧତିରେ ଜୀବନ ପ୍ରତି ବିପଦ ରହିଥାନ୍ତା । କିନ୍ତୁ ଡାକ୍ତର ସାହୁ ଓ ଡାକ୍ତର ଏସ୍. ପାଣିଗ୍ରାହୀ ଓପନ୍ ବ୍ରେନ୍ ସର୍ଜରୀ ନକରି ନାକ ବାଟ ଦେଇ ଆଡଭାନ୍ସଡ୍‌ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରୀ ଦ୍ୱାରା ଟ୍ୟୁମରଟିକୁ ସଫଳତାର ସହ ବାହାର କରିଛନ୍ତି ।

ଅପରେସନର ମାତ୍ର ୫ ଦିନ ପରେ ରୋଗୀ ସିଲୁ ଜେନା ଘରକୁ ଫେରି ପାରିଛନ୍ତି । ଟ୍ୟୁମର୍‌ ବାହାର କରିବା ପାଇଁ ନାକ ବାଟ ଦେଇ ଏପରି ବିରଳ ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ଥର ପାଇଁ କରାଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି ।

Related Posts