ଦିଦି Vs ସିବିଆଇ: ମାମଲାର ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ମୁହାଁମୁହିଁ ମାମଲାର ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ମାମଲାକୁ ନେଇ ସୁପ୍ରିମକୋର୍ଟ ଯାଇଛି ସିବିଆଇ । ତେବେ କୋଲାକାତାରେ ଚାଲିଥିବା ଏହି ବିବାଦର ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, ଯଦି କୋଲକାତାର ପୋଲିସ କମିସନରଙ୍କ ବିରୁଦ୍ଧରେ ଠୋସ୍‌ ପ୍ରମାଣ ରହିଛି, ତାହେଲେ ଆମେ ଶୁଣାଣି ପାଇଁ ପ୍ରସ୍ତୁତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି , ମଙ୍ଗଳବାର କରାଯିବାକୁ ସ୍ଥିର ହୋଇଛି ।

ଅନ୍ୟପଟେ ପଶ୍ଚିମବଙ୍ଗର ସ୍ଥିତି ନେଇ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ସହ କଥା ହୋଇଛନ୍ତି । ଚିଟଫଣ୍ଡ ଦୁର୍ନୀତି ମାମଲାରେ ରବିବାର କଲିକତା ପୋଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇ ଅଧିକାରୀଙ୍କୁ , ରାଜ୍ୟ ପୋଲିସ ଅଟକ ରଖିବା ଯୋଗୁ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି । ସିବିଆଇକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଇଦାନକୁ ଓହ୍ଲାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ମମତା । ସେ କୋଲକାତାର ଧରମତାଲାରେ ସାରା ରାତି ଧାରଣାରେ ବସିଥିଲେ । ଆଜି ମଧ୍ୟ ମମତା ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାରଙ୍କ କଥାରେ ପଡ଼ି ସିବିଆଇ ପଶ୍ଚିମବଙ୍ଗ ପୋଲିସକୁ ହଇରାଣ କରୁଥିବା ମମତା କହିଛନ୍ତି ।

ସାହସ ଥିଲେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଆହ୍ବାନ ଦେଇଛନ୍ତି ଦିଦି । ଏଥିସହିତ ରାଜ୍ୟବ୍ୟାପୀ ଅଧିକାର ରାଲି କରିବାକୁ ଘୋଷଣା କରିଛନ୍ତି । ସେପଟେ ସିବିଆଇ ଟିମ୍‌କୁ ଅଟକ ଘଟଣାରେ, ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି , ଅଭିଯୋଗ କରିଛି ବିଜେପି ।

Related Posts