ବିଜୟ ଦହନ ପଛରେ ବ୍ରାସ୍ ଟିମ୍… ପଢ଼ନ୍ତୁ କିଏ ଏହି ବ୍ରାସ୍ ଟିମ୍

ସତ୍ୟପାଠ ବ୍ୟୁରୋ : ପାଟକୁରା ଫଳାଫଳର ଶ୍ରେୟ ନେବାକୁ ବିଜେଡିରେ ନେତାଙ୍କ ଲମ୍ବା ଲାଇନ । କିଏ ବୁଥ୍ ଜଗିଥିଲା ତ କିଏ ୱାର୍ଡ । ପୁଣି କିଏ ପଂଚାୟତ ଉପରେ ତୀକ୍ଷ୍ଣ ନଜର ରଖିଥିଲା । କିନ୍ତୁ ଏମାନେ ତ ଖାଲି ଜଗୁଆଳ ଡ୍ୟୁଟି କରୁଥିଲେ, ଅସଲ ଗେମ୍ ଚେଂଜର ତ ଚାରି ଜଣ ପୋଖତ ଓସ୍ତାଦ । ଯିଏ ତିନିଟି ଯାକ ବ୍ଳକରେ ଖାଲି ବିଜେଡିର ଭୋଟ ବଢ଼ାଇ ନାହାଁନ୍ତି ବରଂ ବିଜେପିର ପତ୍ତା ସାଫ କରିବାରେ ଜୀ-ଜାନ ଲଗାଇ ଦେଇଛନ୍ତି ।

କଳ-ବଳ-କୌଶଳରେ ବିଜେଡିକୁ ଜିତାଇବାକୁ ଚାରିିଜଣ ଯୁବନେତାଙ୍କୁ ଦାୟିତ୍ୱ ଦେଇଥିଲେ ସୁପ୍ରିମୋ । ପ୍ରଥମେ କୁହାଯାଉଥିଲା ଜାନ ଯାଉ ମାନ ରହୁ ସ୍ଥିତିରେ ରହିଛି ପାଟକୁରା । ହେଲେ ପରିସ୍ଥିତିକୁ ନଜରରେ ରଖି ଚାରିି ପୋଖତ ଖିଲାଡିଙ୍କୁ ଫିଲ୍ଡକୁ ପଠାଇଥିଲେ ନବୀନ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ସଂଜୟ ଦାସବର୍ମା ଓ ଅରୁଣ ସାହୁଙ୍କୁ ମିଳିଥିଲା ଏହି ଗୁରୁ ଦାୟିତ୍ୱ । ତେବେ ନବୀନଙ୍କ ସହ ସିଧାସଳଖ ଏମାନଙ୍କ ଯୋଗସୂତ୍ର କରାଇବା ସହ ନିର୍ବାଚନମଣ୍ଡଳୀର ଟିକିନିଖି ଅପଡେଟ୍ ଦେବା କାମ ଥିଲା ପ୍ରଣବ ପ୍ରକାଶ ଦାସଙ୍କର । ଖାଲି ସେତିକି ନୁହେଁ ବବି ହିଁ ଥିଲେ ଏହି ୟଙ୍ଗ୍ ବ୍ରିଗେଡର ଟିମ୍ ଲିଡର ।

ପାଟକୁରାର ପରିବର୍ତ୍ତିତ ରଣନୀତି ଏମାନେ ହିଁ ସ୍ଥିର କରୁଥିଲେ । ତିନି ମୁହାଣୀ ପାଖରେ ଥିବା ଏକ ହୋଟେଲରେ ପ୍ରସ୍ତୁତ ହେଉଥିଲା ଗେମ୍ ପ୍ଲାନ । ଆଉ ସେହି ଅନୁସାରେ କାମ କରିବାକୁ ହ୍ୱାଟସଆପ୍ ଗ୍ରୁପରେ ଖବର ବଂଟାଯାଉଥିଲା । ପ୍ରତିଦିନର ହିଚକାଚ୍ ପରେ ବିଳମ୍ବିତ ରାତି ଯାଏ ଚାଲୁଥିଲା ଦୁଆରକିଳା ବୈଠକ । କିଛି ନିଷ୍ପତି ସୁପ୍ରିମୋଙ୍କ ଉପରେ ବି ଛଡା ଯାଉଥିଲା ।

ନେତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ଅତନୁ ଧରାଛୁଆଁ ଦେଉନଥିବା ବେଳେ ଏହି ଟିମ୍ କହିବା ପରେ ସୁପ୍ରିମୋ ଅତନୁଙ୍କୁ ଗାଇଡ୍ କରିଥିଲେ । ତା ପରେ ଗରଦପୁରରେ ଟିମ୍ ଅତନୁ କାମରେ ଲାଗିଥିଲା । ଖାଲି ସେତିକି ନୁହେଁ, କେଉଁ ବିଧାୟକ ଓ କେଉଁ ମନ୍ତ୍ରୀ କେଉଁ ଏରିଆରେ ରହିବେ ତାହାର ରୁଟଚାର୍ଟ ବି ବବି ହିଁ ପ୍ରସ୍ତୁତ କରିଥିଲେ । ବିଜେପୁରର ଫର୍ମୁଲା ପାଟକୁରାରେ ଫଳବତୀ କରାଇବାକୁ ଭରପୁର ଚେଷ୍ଟା କରାଯାଇଥିଲା ।

ତେବେ ଏହି ଚାରିଜଣିଆ ଟିମ୍ ପାଖାପାଖି ୨୫ ହଜାର ଭୋଟରେ ଜିତିବା ନେଇ ନିର୍ବାଚନର ଦୁଇଦିନ ପୂର୍ବରୁ ସୁପ୍ରିମୋଙ୍କୁ ଫାଇନାଲ ରିପୋର୍ଟ ଦେଇଥିଲେ । କିନ୍ତୁ ଶେଷ ମୁହୁର୍ତ୍ତରେ ନିର୍ବାଚନ ପୂର୍ବରୁ ଗୁଳିମାଡ ଓ ଗଣମାଧ୍ୟମ ଟିମ୍ କୁ ଆକ୍ରମଣ ପାଇଁ କିଛି ଏପଟସେପଟ ହୋଇଥିଲା । ଯେଉଁଥିପାଇଁ ୨୫ ରୁ ପ୍ରାୟ ୧୮ହଜାରକୁ ଖସି ଆସିଥିଲା ମାର୍ଜିନ । ବଡକଥା ହେଲା, ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମାତ୍ର ୬ହଜାର ଭୋଟ ଅଧିକ ପାଇଥିବାରୁ ବିଜେଡିର ଗଡ ଡେରାବିଶକୁ ଜଗିଦେଲେ ବିଜୟ ଅନିବାର୍ଯ୍ୟ ବୋଲି ଗୁପ୍ତ ବୈଠକରେ ନିଷ୍ପତି ନିଆଯାଇଥିଲା । ସେହି ଅନୁସାରେ ଡେରାବିଶର ୨୬ଟି ପଂଚାୟତର ଦାୟିତ୍ୱ ନେଇଥିଲେ ଉଭୟ ଅରୁଣ ଓ ସଂଜୟ । ତାଙ୍କୁ ସହଯୋଗ କରିବାକୁ ରଘୁନନ୍ଦନ ଦାସ, ସମୀର ଦାସ, ଅନୁଭବ ପଟ୍ଟନାୟକ, ମୁକ୍ତିକାନ୍ତ ମଣ୍ଡଳଙ୍କୁ ରଖାଯାଇଥିଲା । ଫଳରେ ଡେରାବିଶରେ ବିଜେପିକୁ ପାଣି ପିଆଇ ଦେଇଥିଲା ବିଜେଡି । ଏକାକୀ ଏହି ବ୍ଲକ ୧୩ହଜାର ଲିଡ୍ ଦେଇଛି ।

ଗରଦପୁର ବିଜୟ ମହାପାତ୍ରଙ୍କ ଘର ହୋଇଥିବାରୁ ପୁରୁଖା ନେତା ଭାବେ ରାଜା ସ୍ୱାଇଁ ନିଜ ପାଖରେ ରଖିଥିଲେ ଗରଦପୁର । ଅତନୁ ସବ୍ୟସାଚ୍ଚୀ, ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ପ୍ରତି ବୁଥ୍ ସ୍ତରରେ ଭୋଟ ଜଗିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ଓ ଦଳର ପକେଟ ଭୋଟକୁ ନିଜ ପଟକୁ ନେବାରେ ସ୍ଥାନୀୟ ସଂଗଠକ ଉକ୍ରଳ କେଶରୀ ପରିଡା ପ୍ରମୁଖ ଭୁମିକା ନେଇଥିବା କୁହାଯାଉଛି । ନିର୍ବାଚନର କିଛିଦିନ ପୂର୍ବରୁ ଉକ୍ରଳ ପରିଡାଙ୍କୁ ପାଟକୁରା ନିର୍ବାଚନ କୋର୍ଡିନେଟର ଭାବେ ନିଯୁକ୍ତି ଦେଇ ତାଙ୍କ ଉପରେ ଏହି ଦାୟିତ୍ୱ ଦିଆଯାଇଥିଲା ।

ତେବେ ସବୁ ପରେ ବି ମାତ୍ର ଚାରିଜଣ ଯୁବନେତା ରାଜନୀତିରେ ନିଜ ପୋଖତ ପଣିଆ ଦେଖାଇ ଦେଇଛନ୍ତି ବିଜୟ ମହାପାତ୍ରଙ୍କୁ । ମାଟି କାମୁଡିଛି ବିଜେପି । ଆଉ ଏହାସହ ବିଧାନସଭାକୁ ବିଜୟ ମହାପାତ୍ରଙ୍କୁ ପୁରାଇ ନଦେବାକୁ ବିଜେଡି ନେଇଥିବା ପଣ ପୁରା କରିଛନ୍ତି ଟିମ୍ ବ୍ରାସ୍ (ବବି, ରାଜା, ଅରୁଣ, ସଂଜୟ) । ଆଜି ପାଟକୁରା ନିର୍ବାଚନ ଫଳାଫଳର ସମୀକ୍ଷା କରୁଥିବା ମୁଖ୍ୟମନ୍ତ୍ରୀ କୁଆଡେ ଟିମ୍ ବ୍ରାସ କୁ ଜିତିବାର ଶ୍ରେୟ ଦେବା ସହ ଆଜି ବୈଠକରେ ତାଙ୍କ ଉପରେ ଭାରୀ ଖୁସିଥିବା ଜଣାପଡିଛି ।

Related Posts