ଧନ୍ୟ ଆମ ବ୍ୟବସ୍ଥା : ୧୪ ହଜାର ଶିକ୍ଷକ ଓ ୪ହଜାର ଅଧ୍ୟାପକ ପଦବି ଖାଲି

ସତ୍ୟପାଠ ବ୍ୟୁରୋ : ସାମ୍ନାକୁ ଆସିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ପାଠ ପଢ଼ାଇବାକୁ ନାହାଁନ୍ତି ଶିକ୍ଷକ କି ଅଧ୍ୟାପକ । ଖାଲି ପଡିଥିବା ପଦବୀର ସଂଖ୍ୟା ଜାଣିଲେ ନିଜକୁ ଲଜ୍ଜିତ ଲାଗିବ କେଉଁ ସ୍ତରକୁ ଗଲାଣି ଆମ ବ୍ୟବସ୍ଥା । ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଏକ ପ୍ରଶ୍ନର ଉତ୍ତରରେ ଏହି ଖୁଲାସା କରିଛନ୍ତି । ଆଉ ଏହା ହିଁ, ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନ ଅପେକ୍ଷା ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ବିଦ୍ୟାର୍ଥୀଙ୍କ ଦୁର୍ବଳତାର ପ୍ରଥମ କାରଣ ବୋଲି କୁହାଯାଇପାରେ ।

ରାଜ୍ୟରେ ୧୪ହଜାର ଶିକ୍ଷକ ଓ ୪ହଜାର ଅଧ୍ୟାପକ ପଦବି ଖାଲି ପଡିଛି । କେବେ ଏହି ପଦବୀ ପୂରଣmore  ହେବ ତାହାର ଉତ୍ତର ସରକାରଙ୍କ ପାଖରେ ନାହିଁ । ଏତେ ସଂଖ୍ୟକ ଶିକ୍ଷକ ଓ ଅଧ୍ୟାପକଙ୍କ ଅଭାବରେ ଶିକ୍ଷାଦାନ କିଭଳି ଚାଲିଛି ତାହା ଭାବିବାକୁ କିମ୍ବା ବୁଝିବାକୁ ବେଶୀ ସମୟ ଲାଗୁନାହିଁ ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜଣାଇଛନ୍ତି, ସରକାରୀ ହାଇସ୍କୁଲ୍ଗୁଡ଼ିକରେ ୨୪୧୭ ପ୍ରଧାନ ଶିକ୍ଷକ ଓ ୮୪୯୮ ଶିକ୍ଷକ ପଦବି ଖାଲି ଅଛି। ସେହିପରି ଅନୁଦାନପ୍ରାପ୍ତ ହାଇସ୍କୁଲ୍ଗୁଡ଼ିକରେ ୪୩୦ ପ୍ରଧାନ ଶିକ୍ଷକ ଓ ୨୫୪୩ ଶିକ୍ଷକ ପଦବି ଖାଲି ପଡ଼ିଛି। ଉଭୟ ବର୍ଗର ହାଇସ୍କୁଲ୍ରେ ପାଖାପାଖି ୨ ହଜାର କିରାଣୀ ପଦ ମଧ୍ୟ ଖାଲି ଅଛି।
ଯୁକ୍ତ ଦୁଇ କଲେଜରେ ଖାଲି ଥିବା ପଦବି ସମ୍ପର୍କରେ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, ୧୭ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୪୩୦ଟି ଅଧ୍ୟାପକ ପଦବି ମଧ୍ୟରୁ ୧୧୭ଟି ଖାଲି ରହିଛି। ୪୮୮ ବର୍ଗ ଅନ୍ତର୍ଭୁକ୍ତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଯୁକ୍ତ ଦୁଇ କଲେଜ/ଉଚ୍ଚ ମାଧ୍ୟମିକ ସ୍କୁଲ୍ଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ୧୫୪୦ଟି ଅଧ୍ୟାପକ ପଦବି ମଧ୍ୟରୁ ୩୮୨ଟି ପଦବି ଖାଲି ରହିଛି। ଏହା ବାଦ୍ ରାଜ୍ୟରେ ୬୬୨ ବର୍ଗ ଅନ୍ତର୍ଭୁକ୍ତ ୪୬୫ଟି ଉଚ୍ଚ ମାଧ୍ୟମିକ ସ୍କୁଲ୍ରେ ଅନୁଦାନ ନୀତି ୨୦୦୮ ଓ ୨୦୧୫ରେ ଅନୁଦାନଭୁକ୍ତ ହୋଇଥିବା ୨୯୭୪ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ମଧ୍ୟରୁ ୯ଟି ଖାଲି ରହିଛି।

ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଜଣାଇଛନ୍ତି, ରାଜ୍ୟର ବିଶ୍ବବିଦ୍ୟାଳୟରେ ୮୪୯, ସରକାରୀ ମହାବିଦ୍ୟାଳୟରେ ୧୨୬୭ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧୮୨୪ଟି ଅଧ୍ୟାପକ ପଦବି ଖାଲି ଅଛି। ବାରିପଦା ଏମ୍ପିସି ସ୍ବୟଂଶାସିତ କଲେଜରେ ସର୍ବାଧିକ ୬୧ ଅଧ୍ୟାପକ ପଦବି ଖାଲି ପଡ଼ିଥିଲା ବେଳେ ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ୬୦ଟି ଓ ପୁରୀର ଏସ୍ସିଏସ୍ ସ୍ବୟଂଶାସିତ କଲେଜରେ ୫୮ଟି ପଦବି ଖାଲି ପଡ଼ିଛି। ସେହିପରି କଟକ ଜିଲ୍ଲାରେ ୪୦ଟି ଅନୁଦାନପ୍ରାପ୍ତ କଲେଜରେ ମଞ୍ଜୁରୀପ୍ରାପ୍ତ ୬୯୫ ଅଧ୍ୟାପକ ପଦରୁ ୨୫୮ ପଦ ଖାଲି ପଡ଼ିଛି। ତାହା ତଳକୁ ରହିଛି କେନ୍ଦ୍ରାପଡ଼ା। ଏହି ଜିଲ୍ଲାରେ ୨୯ଟି ଅନୁଦାନପ୍ରାପ୍ତ କଲେଜରେ ମଞ୍ଜୁରୀପ୍ରାପ୍ତ ୪୭୭ ଅଧ୍ୟାପକ ପଦବିରୁ ୨୦୧ ଖାଲି ପଡ଼ିଛି।

ଏତେ ସଂଖ୍ୟକ ପଦବୀ ଖାଲି ପଡିଛି ଅଥଚ ରାଜ୍ୟ ସରକାର ନିଯୁକ୍ତି ପାଇଁ କଣ ବ୍ୟବସ୍ଥା କରୁଛନ୍ତି ତାହା କହୁ ନାହାଁନ୍ତି । ଗୋଟିଏ ପଟେ ରାଜ୍ୟରେ ବେରୋଜଗାରୀ ସୀମା ଟପିଲାଣି, ଆଉ ଏପଟେ ନିଯୁକ୍ତି ସୁଯୋଗ ଥାଇ ବି ସରକାର ନିଦାବିଷ୍ଣୁ ସାଜିଛନ୍ତି ।

Related Posts