ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ପଟିଆ ରେଳ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମାମଲାରେ ସଂଶ୍ଳିଷ୍ଟ ଆଉ ଜଣେ ଅଭିଯୁକ୍ତ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ବୁଲୁ ମଲ୍ଲିକ ବୋଲି ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ କାହ୍ନାର ସହଯୋଗୀ ବୁଲୁ ଫେରାର୍ ଥିବା ଜଣାପଡ଼ିଥିଲା । ଖବର ପାଇ ବାଙ୍କୀ ନିକଟରୁ ବୁଲୁକୁ ପୋଲିସ ଗିରଫ କରିଛି ।ରାଜ୍ୟ ବାହାରକୁ ଖସି ପଳେଇବାକୁ ଉଦ୍ୟମ କରୁଥିବାବେଳେ ଧରା ପଡ଼ିଥିବା ଜଣାପଡିଛି । ତାକୁ ଗିରଫ କରିବା ପାଇଁ ଜିଆରପି ଓ କମିଶନରେଟ୍‌ ପୁଲିସର ୪ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ । ଶେଷରେ ବୁଲୁକୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଥାଉକି, ପଟିଆ ଷ୍ଟେସନ ଅଞ୍ଚଳର ୧୨ ବର୍ଷର ନାବାଳିକା ଘରକୁ ୧୪ ବର୍ଷର ଦିବ୍ୟାଙ୍ଗ ନାବାଳିକା ବୁଲିବାକୁ ଆସିଥିଲେ । ସୋମବାର ସନ୍ଧ୍ୟାରେ ୨ ନାବାଳିକା ପଟିଆ ଷ୍ଟେସନକୁ ମାର୍କେଟିଂରେ ଯାଇଥିଲେ । ସେମାନଙ୍କୁ ଦେଖି ସେହି ଅଞ୍ଚଳରେ ଏକ ମାଛ ଦୋକାନରେ କାମ କରୁଥିବା କାହ୍ନା ଓ ବୁଲୁ ପ୍ରଥମେ ପାଖକୁ ଡ଼ାକିଥିଲେ । ଯେହେତୁ ୨ ନାବାଳିକା ଉଭୟଙ୍କୁ ପୂର୍ବରୁ ଚିହ୍ନିଛନ୍ତି, ତେଣୁ ନିଶଂକୋଚରେ ସେମାନେ ପାଖକୁ ଯାଇଥିଲେ । ଏହି ସମୟରେ କାହ୍ନା ଓ ବୁଲୁ ୨ ନାବାଳିକାଙ୍କୁ ଜୋରଜବରଦସ୍ତ ରେଲୱେ ଓଭରବ୍ରିଜ ଉପରକୁ ଟେକି ନେଇଥିଲେ । ସେଠାରେ ଉଭୟଙ୍କ ହାତଗୋଡ଼ ବାନ୍ଧି ଅମାନୁସିକ ଭାବେ ରାତିସାରା ଦୁଷ୍କର୍ମ କରିଥିଲେ । ନାବାଳିକା ୨ଜଣ ଯନ୍ତ୍ରଣାରେ ଚିତ୍କାର କରିବାରୁ ସେମାନେ ତାଙ୍କୁ ମାଡ଼ମାରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସାରା ରାତି ପାଶବିକ ଅତ୍ୟାଚାର କରିବା ପରେ ଭୋର ସମୟରେ ହାତଗୋଡ଼ ଖୋଲି ଧମକ ଦେଇ ଛାଡ଼ି ପଳାଇଥିଲେ ।

ମଙ୍ଗଳବାର ସକାଳେ ୨ ନାବାଳିକା କାନ୍ଦି କାନ୍ଦି ଘରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ କାହ୍ନା ଓ ବୁଲୁଙ୍କୁ ପଚରାଉଚରା କରିବାରୁ ସେମାନେ ତାଙ୍କୁ ଟଙ୍କା ଜାଚିବା ସହ କାହାରିକୁ ନ କହିବାକୁ ଧମକ ଦେଇଥିଲେ । ବୁଧବାର ସନ୍ଧ୍ୟାରେ ଖବରପାଇ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ନାବାଳିକାଙ୍କ ଘରେ ପହଞ୍ଚି ସମସ୍ତ ବିଷୟ ଜାଣିବା ପରେ ଏନେଇ ଜୋନ୍‌ ଏସିପି ଓ ଇନ୍‌ଫୋସିଟି ଥାନା ପୁଲିସକୁ ଜଣାଇଥିଲେ । ଇନ୍‌ଫୋସିଟି ଥାନା ପୁଲିସ ଓ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଉକ୍ତ ସ୍ଥାନ ଭୁବନେଶ୍ୱର ରେଳବାଇ ଥାନା ଅଧୀନରେ ଯାଉଥିବା ଜାଣିବାକୁ ପାଇଥିଲେ । ତେଣୁ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ନାବାଳିକାଙ୍କ ପରିବାର ଲୋକଙ୍କୁ ନେଇ ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ରେଳବାଇ ଥାନା ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ରାଜଧାନୀରେ ଏଭଳି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ପ୍ରଘଟ ହେବାପରେ ଜିଆରପି ସହ କମିଶନରେଟ୍‌ ପୁଲିସ ତତ୍ପର ହୋଇ ଉଠିଥିଲା । ରାତାରାତି ଜିଆରପି ଓ କମିଶନରେଟ୍‌ ପୁଲିସର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଥିଲେ । କାହ୍ନା ନିଜ ଗାଁ ବାଙ୍କୀ ପଦନପୁରକୁ ପଳାଉଥିବା ବେଳେ ତାକୁ ଖୋର୍ଦ୍ଧା ନିକଟରୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ବୁଲୁକୁ ଗିରଫ କରିବା ପାଇଁ ପୁଲିସର ୪ଟି ଟିମ୍‌ ଗଠନ କରାଯାଇ ବାଙ୍କୀ ସମେତ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ଉ ଜାରି ରହିଥିଲା । ଏହି ଅନ୍ୟତମ ଅଭିଯୁକ୍ତକୁ ବାଙ୍କୀ ଠାରେ ବୁଲୁ ମଲ୍ଳିକକୁ ଗିରଫ କରିବା ସଫଳ ହୋଇଛି ପୋଲିସ।