ଭାଙ୍ଗିଗଲା ଯୋଡ଼ି : ଅଭିନେତା ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାରବେଳେ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିଲେ ଶେହନାଜ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହଠାତ୍‌ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର, ବନ୍ଧୁ, ପରିଜନ ଏବଂ ପ୍ରଶଂସକ । ହଠାତ୍ ଏମିତି ଦୁନିଆକୁ ଅଲବିଦା କହି ଚାଲିଯିବାକୁ କେହି ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଗତକାଲି ମୁମ୍ବାଇର ଓସିୱାଡ଼ା ଶ୍ମଶାନ ଘାଟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଅପରାହ୍ନରେ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ବେଳେ କାନ୍ଦ ବୋବାଳିରେ ଶ୍ମଶାନ ଘାଟ ଫାଟି ପଡୁଥିଲା। ସିଦ୍ଧାର୍ଥଙ୍କ ମା’ ମୁଖାଗ୍ନି ଦେଇଥିଲେ। 

ତାଙ୍କ ମା’ ଙ୍କ ସମେତ ଅନେକ ପ୍ରଶଂସକ ସମସ୍ତଙ୍କ ଆଖିରେ ଲୁହ ଭରି ରହିଥିଲା। କିନ୍ତୁ ସମସ୍ତଙ୍କ ତୁଳନାରେ ସିଦ୍ଧାର୍ଥଙ୍କ ପ୍ରେମିକା ଶେହନାଜ ଗିଲ୍‌ ସବୁଠାରୁ ଅଧିକ ଭାଙ୍ଗି ପଡ଼ିଥିଲେ। ସେ ତାଙ୍କ ଭାଇଙ୍କ ସହ ଶ୍ମଶାନଘାଟରେ ପହଞ୍ଚି ଥିଲେ। ଶେହନାଜଙ୍କ ଆଖିରେ ଲୁହ ଥିବା ବେଳେ ସେ ଘଟଣାକୁ ବିଶ୍ୱାସ କରିପାରୁ ନ ଥିବା ଦେଖାଯାଇପାରୁଥିଲା। ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଶେଷଦର୍ଶନ ପାଇଁ ନିଆଯାଉଥିବା ବେଳେ ସେ କାନ୍ଦି କାନ୍ଦି ସିଦ୍ଧାର୍ଥଙ୍କୁ ଡାକୁଥିବା ଦେଖାଯାଇଥିଲା।

ବିଗ୍‌ ବସ୍‌ ୧୩ରେ ସିଦ୍ଧାର୍ଥଙ୍କ ସହ ଭାଇ ପରି ରହି ଆସିଥିବା ଆସିମ ରିଆଜଙ୍କୁ ମଧ୍ୟ ଭାଙ୍ଗି ପଡ଼ି ଶ୍ମଶାନର ପାହାଚରେ ବସି ପଡ଼ିବା ଦେଖିବାକୁ ମିଳିଛି। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବିଗ୍‌ବସ୍‌ ଆରମ୍ଭ ଦିନଗୁଡ଼ିକରେ ଶେହନାଜ, ସିଦ୍ଧାର୍ଥ, ଆସିମଙ୍କ ଯୋଡ଼ିକୁ ଦେଖାଯାଇଥିଲା। ଏଥିନେଇ ଏବେ ସିଦ୍ଧାର୍ଥଙ୍କୁ ହରାଇ ଉଭୟ ଭାଙ୍ଗିପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ପରଲୋକ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଶୁକ୍ରବାର ମଧ୍ୟାହ୍ନରେ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଘରେ ପ୍ରଜାପିତା ବ୍ରହ୍ମାକୁମାରୀ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା।

Related Posts