ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏକ ବୈଠକରେ ଶୋଇବା ବିଏସ୍ଏନ୍ଏଲ୍ର ଜଣେ ମୁଖ୍ୟ ମହାପ୍ରବନ୍ଧକ ବା ସିଜିଏମ୍ଙ୍କୁ ମାହାଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବିଏସ୍ଏନ୍ଏଲ୍ର ସିଜିଏମ୍ ସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଯୋଗ ଦେଇଥିଲେ। ଏହି ବୈଠକ ଚାଲିଥିବା ସମୟରେ ସେଠାରେ ଜଣେ ସିଜିଏମ୍ ଶୋଇ ପଡ଼ିଥିଲେ। ଏହା ଦେଖିବା ପରେ ତାଙ୍କୁ ତୁରନ୍ତ ବୈଠକ ସ୍ଥଳୀରୁ ବାହାରିଯିବାକୁ ମନ୍ତ୍ରୀ କହିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଶୀଘ୍ର ସ୍ବେଚ୍ଛାକୃତ ଅବସର (ଭିଆର୍ଏସ୍) ନେବାକୁ କୁହାଯାଇଥିଲା। ସେହି ଅଧିକାରୀ ଜଣକ ଏବେ ଭିଆର୍ଏସ୍ ନେଇଥିବା ଜଣାପଡ଼ିଛି। ବୁଧବାର ଦିନ ତାଙ୍କ ଭିଆର୍ଏସ୍କୁ ମଞ୍ଜୁର କରାଯାଇଛି। ସେହି ଅଧିକାରୀ ଜଣକ ବେଙ୍ଗାଲୁରୁରେ ସିଜିଏମ୍ ସ୍ତରରେ କାମ କରୁଥିଲେ।
ସୂଚନାଯୋଗ୍ୟ ଯେ, ବିଏସ୍ଏନ୍ଏଲ୍ର ପୁନରୁଦ୍ଧାର ପାଇଁ ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଦୁଇ ବର୍ଷ ଭିତରେ କଂପାନିର ସ୍ଥିତି ସୁଧାରିବା ଲାଗି ଭଲ ପ୍ରଦର୍ଶନ ନକଲେ ସ୍ବେଚ୍ଛାକୃତ ଅବସର ନେଇଯିବା ଲାଗି କର୍ମଚାରୀମାନଙ୍କୁ ମନ୍ତ୍ରୀ ତାଗିଦ୍ କରିଥିଲେ। ମନ୍ତ୍ରୀ ଆହୁରି କହିଥିଲେ ଯେ ଭଲ କାମ କରୁନଥିବା ସତ୍ତ୍ବେ ଭିଆର୍ଏସ୍ ନେବାକୁ ଚାହୁଁନଥିବା କର୍ମଚାରୀଙ୍କ ପାଇଁ ସରକାର ରେଳବାଇ ଭଳି ବାଧ୍ୟତାମୂଳକ ଅବସର ଯୋଜନା ଲାଗୁ କରିପାରିବେ।
