କଟକ ପାଖରେ ବଡ଼ ଦୁର୍ଘଟଣା, ମହାନଦୀକୁ ଖସି ପଡ଼ିଲା ଏସି ବସ୍‌, ବହୁ ଯାତ୍ରୀ ଆହତ

କଟକ ନିକଟ ମହାନଦୀ ପୋଲ ଉପରେ ମଙ୍ଗଳବାର ସଂଧ୍ୟାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି ଯାତ୍ରୀବାସୀ ବସ୍‌ । ଅନୁଗୁଳ ଜିଲ୍ଲା ତାଳଚେରରୁ ଆସୁଥିବା ‘ଜଗନ୍ନାଥ’ ନାମକ ଯାତ୍ରୀବାସୀ ଏସି ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପ୍ରାୟ 30 ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେବା ଫଳରେ ବସ୍‌ଟି ଭାରସାମ୍ୟ ହରାଇଥିଲା । ପରେ ପୋଲ ବାଡ଼ାକୁ ଧକ୍କା ଦେଇ ବସ୍‌ଟି ତଳକୁ ଖସି ପଡ଼ିଥିଲା । କଟକରୁ ପ୍ରାୟ 10ଟି ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି । ପ୍ରଶାସନ ଓ ପୋଲିସ୍‌ର ବରିଷ୍ଠ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।

ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲ ତଳକୁ ପ୍ରାୟ 20 ଫୁଟ୍‌ ତଳେ ବସ୍‌ଟି ନଦୀ ପଠାରେ ପଡ଼ିଥିବାବେଳେ ସେଥିରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ, ଓଡ୍ରାଫ୍‌ ଓ ପୋଲିସ୍‌ କର୍ମଚାରୀମାନେ ଲାଗିଛନ୍ତି । ନଦୀ ପଠାରୁ ଆହତ ଯାତ୍ରୀଙ୍କୁ ଉପରକୁ ଉଠାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

କଟକ ଓ ଜଗତପୁର ମଧ୍ୟରେ ମହାନଦୀ ପୋଲର ଲମ୍ବା ପ୍ରାୟ 3 କିଲୋମିଟର ହୋଇଥିବାବେଳେ ବସ୍‌ଟି ପ୍ରାୟ ମଝାମଝି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନଦୀର ଉଭୟ କୂଳରେ ପାଣି ରହିଥିବାବେଳେ ନଦୀ ପଠା ମଧ୍ୟକୁ କୌଣସି ଗାଡ଼ି ପଶି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନାହିଁ । ଫଳରେ ସିଡ଼ି ସାହାଯ୍ୟରେ ନଦୀ ପଠାକୁ ଓହ୍ଲାଇ ଉଦ୍ଧାରକାରୀ ଦଳ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ‘ଜଗନ୍ନାଥ’ ନାମକ ଯାତ୍ରୀବାସୀ ବସ୍‌ଟି ତାଳଚେରରୁ କଟକ ମଧ୍ୟରେ ଚଳାଚଳ କରିଥାଏ । ଆଜି ଅପରାହ୍ନ 3ଟାରେ ବସ୍‌ଟି ତାଳଚେରରୁ 30ରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାରିଥିଲା । ଅନୁଗୁଳ ବଅଁରପାଳ ଛକରୁ ମଧ୍ୟ ବସ୍‌ରେ ଆଉ କିଛି ଯାତ୍ରୀ ଚଢ଼ିଥିଲେ । ସଂଧ୍ୟା ପ୍ରାୟ 7.10 ସମୟରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ବସ୍‌ରେ କେତେ ସଂଖ୍ୟାରେ ଯାତ୍ରୀ ଥିଲେ ସେ ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ ।

 

Related Posts