
ରାଜ୍ୟରେ ପୁଣି ଥରେ ବସ୍ ଭଡ଼ା କମିଛି । ସାଧାରଣ ଓ ଏକ୍ସପ୍ରେସ୍ ବସ୍ରେ କିମି ପିଛା ବସ୍ ଭଡ଼ା ୨ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୪ ପଇସା କମିଛି । ଡିଜେଲ ଦର କମିବା ପରେ ବସ୍ ଭଡ଼ା କମିଥିବା ଜଣାପଡ଼ିଛି ।
ପୂର୍ବରୁ ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ୭୦ ପଇସା ଥିଲା । ଯାହା ଏବେ କମି ୬୮ ହୋଇଛି । ଏକ୍ସପ୍ରେସ୍ ଭଡ଼ା କିମି ପିଛା ୭୩ ପଇସା ଥିବା ବେଳେ ଏହାକୁ ୨ ପଇସା କମାଇ ୭୧ ପଇସା କରାଯାଇଛି ।
ସେହିପରି ଡିଲକ୍ସ ବସ୍ ଭଡ଼ା କିମି ପିଛା ପୂର୍ବରୁ ୧ ଟଙ୍କା ୦୧ ପଇସା ଥିବା ବେଳେ ଏହା ଏବେ 4 ପଇସା କମି ୯୭ ପଇସା ହୋଇଛି । ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ପୂର୍ବରୁ ଥିଲା ୧ଟଙ୍କା୨୩ ପଇସା ଥିବା ବେଳେ ଏହାକୁ 4 ପଇସା କମାଇ ୧୧୯ ପଇସା କରାଯାଇଛି।
ବୁଧବାର ଯାତ୍ରୀ ବସ୍ ଭଡ଼ା କମାଯିବା ନେଇ ଘୋଷଣା କରାଯାଇଛି । ରାଜ୍ୟରେ ଲକ୍ଷାଧିକ ଲୋକ ଦୈନିକ ବସ୍ରେ ଯାତାୟାତ କରୁଥିବାବେଳେ ତୈଳ ବୃଦ୍ଧି ଯୋଗୁଁ ବସ୍ ଭଡ଼ା ମଧ୍ୟ ଲଗାତାର ବଢ଼ି ଚାଲିଥିଲା । କିନ୍ତୁ ଗତ କିଛି ଦିନ ହେଲା ତୈଳ ଦର ହ୍ରାସ ସାଙ୍ଗକୁ ବସ୍ ଭଡ଼ା ମଧ୍ୟ ଏକାଧିକ ଥର କମିଛି । ଯାହା ଉଭୟ ବସ୍ ମାଲିକ ଓ ଯାତ୍ରୀଙ୍କୁ ଆଶ୍ବସ୍ତି ଦେଇଛି ।