
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସରୁ ଇସ୍ତଫା ଦେଇ ଦଳ ସହ ୫୦ ବର୍ଷର ସମ୍ପର୍କ ଛିନ୍ନ କରିବା ପରେ ନିଜ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ। ତେବେ ଆଜାଦଙ୍କୁ ଏବେ ଆତଙ୍କବାଦୀଙ୍କ ପକ୍ଷରୁ ଧମକ ମିଳିଛି । ଜାମ୍ମୁକାଶ୍ମୀରରେ ଅନନ୍ତନାଗ ଜିଲ୍ଲାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବା ବେଳେ ଆଜାଦ୍ କହିଛନ୍ତି ଯେ, ତାଙ୍କୁ ଆତଙ୍କବାଦୀଙ୍କ ଧମକ ମିଳିଥିବା ନେଇ ସୂଚନା ମିଳିଛି। ଲସ୍କର ଏ ତୋଏବା ସହ ଜଡିତ ଦ ରେଜିଷ୍ଟ୍ରେସନ ଫ୍ରଣ୍ଟ ଜୀବନରୁ ମାରିଦେବାକୁ ତାଙ୍କୁ ଧମକ ଦେଇଛି ।ନିଜ ଦଳର ଘୋଷଣା ପୂର୍ବରୁ ଗୁଲାମ ବର୍ତ୍ତମାନ ଜାମ୍ମୁକାଶ୍ମୀରର ବିଭିନ୍ନ ଅଞ୍ଚଳରେ ଜନସଭା କରିଚାଲିଛନ୍ତି । ଏହାରି ମଧ୍ୟରେ ତାଙ୍କୁ ମାରିବାକୁ ଧମକ ମିଳିଛି ।
ଏହାକୁ ନେଇ ସେ କହିଛନ୍ତି ଯେ, କୁହାଯାଉଛି ଏଠାକୁ ଆସିବା ପୂର୍ବରୁ ମୁଁ ଗୃହମନ୍ତ୍ରୀ ଅମିତ ଶାହ, ଏନଏଏସ ଅଜିତ ଡୋଭାଲଙ୍କୁ ଭେଟିଛି । ତେବେ ମୁଁ କହିରଖିବାକୁ ଚାହେଁ ଯେ ମୁଁ କେବେ ଅଜିତ ଡୋଭାଲଙ୍କୁ ଭେଟିନାହିଁ । ମୁଁ ଭଗବାନଙ୍କ ରାଣ ଖାଉଛି । ହଁ ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଖାକରିଛି, ସେ ଗୃହମନ୍ତ୍ରୀ ଏବଂ ସଂସଦରେ ଆମର ଦେଖାସାକ୍ଷାତ ହୋଇଥାଏ । ଏହା ମୋର କାର୍ଯ୍ୟର ଅଂଶ । ଆହୁରି ଆଜାଦ କହିଛନ୍ତି, ମୋ ରାଜନୈତିକ କ୍ୟାରିୟରରେ ଅନେକ ଥର ହତ୍ୟା ଧମକ ପାଇଛି, କିନ୍ତୁ କେବେ ହେଲେ ବିବ୍ରତ କିମ୍ବା ଭୟଭୀତ ହୋଇନାହିଁ ।ମୋ ଉପରେ ପଞ୍ଜାବ ଏବଂ କାଶ୍ମୀରରେ ୫୦ରୁ ଅଧିକ ଥର ଆକ୍ରମଣ ହୋଇଛି । ତେବେ ଭଗବାନଙ୍କ ଦୟାରୁ ମୋର ଜୀବନ ସବୁବେଳେ ବଞ୍ଚିଯାଇଛି । ସେ ରାଜନୀତିରେ କିଣିବା, ବିକିବା ନୀତି ଜାଣନ୍ତି ନାହିଁ ବୋଲି ମଧ୍ୟ ଜନସଭାରେ କହୁଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ଯେ, ଆଜାଦ୍ କାଶ୍ମୀର ଆସିବା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ଏନଏଏସ ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଏଥିପାଇଁ ତାଙ୍କୁ ଧମକ ମିଳିଛି। ତେବେ ଏହି ଦାବିକୁ ଖଣ୍ଡନ କରିଛନ୍ତି ଆଜାଦ୍।