ଟ୍ୟୁସନ୍‌ ପଢ଼ାଇ ଆରମ୍ଭ କରିଥିଲେ ବ୍ୟବସାୟ, ଏବେ 850 କୋଟିରେ କିଣିଲେ ଆମେରିକୀୟ କମ୍ପାନୀ

ଗାଁ ସ୍କୁଲରେ ପାଠ ପଢ଼ିଥିବା ବାୟଜୁ ରବୀନ୍ଦ୍ରନ୍‌ ଦିନେ ମାତ୍ର 2 ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ । ଏବେ ତାଙ୍କର କମ୍ପାନୀର ମୂଲ୍ୟ ହୋଇଯାଇଛି 26 ହଜାର କୋଟି ଟଙ୍କା । ବଲିଉଡ୍‌ ସୁପରଷ୍ଟାର୍‌ ଶାହରୁଖ ଖାନ୍‌ ତାଙ୍କ ପାଇଁ ବିଜ୍ଞାପନ କରନ୍ତି । ଆସନ୍ତୁ ଜାଣିବା ତାଙ୍କର ପୁରା କାହାଣୀ ।

କିଏ ଜଣେ ଆଇଆଇଏମ୍‌ର ଏଣ୍ଟ୍ରାନ୍ସରେ ଟପ୍‌ କରିବ ଆଉ ତା ପରେ ଆଡମିସନ୍‌ ନ ନେଇ ନିଜର ସାଙ୍ଗ ଓ ଅନ୍ୟ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ନିଜକୁ ସମର୍ପିତ କରିଦେବ, ଏମିତି ଉଦାହରଣ ଖୁବ୍‌ କମ୍‌ ଦେଖିବାକୁ ମିଳେ । କିନ୍ତୁ ବାୟଜୁ ରବୀନ୍ଦ୍ରନ ଏମିତି ଜଣେ ବ୍ୟକ୍ତିଙ୍କ ନାଁ । ଯିଏ ନିଜେ କୋଟିପତି ହେବା ସ୍ଥାନରେ ଅନ୍ୟଙ୍କୁ କୋଟିପତି କରିବାକୁ ସ୍ଥିର କଲେ, କିନ୍ତୁ ତାଙ୍କର ପରିଶ୍ରମ ଓ ସମର୍ପଣ ଆଜି ତାଙ୍କୁ ଅରବପତି କରିଦେଇଛି । ତାଙ୍କ କମ୍ପାନୀ ବାୟଜୁ ଏବେ ଆମେରିକାର ‘ଓସମୋ’ କମ୍ପାନୀକୁ କିଣିନେଇଛି । 850 କୋଟି ଟଙ୍କାରେ ଏହି ଡିଲ୍‌ ହୋଇଛି । ଜାଣିବା କେମିତି ରବୀନ୍ଦ୍ରନ୍‌ ଛିଡ଼ା କଲେ କୋଟି କୋଟି ଟଙ୍କା ମୂଲ୍ୟର କମ୍ପାନୀ ।

ଟିଚିଂକୁ ଆସିବାର ଆଇଡିଆ ରବୀନ୍ଦ୍ରନ୍‌ଙ୍କର ନିଜର ନ ଥିଲା । ଏହି ଆଇଡିଆ ପଛରେ ସେହି ଛାତ୍ର ଓ ବନ୍ଧୁମାନେ ଥିଲେ, ଯେଉଁମାନଙ୍କୁ ସେ ପ୍ରଥମେ ପଢ଼ାଇବା ଆରମ୍ଭ କରିଥିଲେ । ଆରମ୍ଭରେ 8 ସଦସ୍ୟ ବିଶିଷ୍ଟ ଟିମ୍‌ ଏହି ବଡ଼ ବ୍ରାଣ୍ଡର ଭିତ୍ତି ରଖିଥିଲେ । ଏସିଆର highest-valued tech company- Tencent ଗତ ବର୍ଷ ଜୁଲାଇରେ ବାୟଜୁର ମୋଟ ମୂଲ୍ୟ ପ୍ରାୟ 26 ହଜାର କୋଟି ଭାବେ ହିସାବ କରିଥିଲା । ଏବେ ଏହି କମ୍ପାନୀର ନେଟ୍‌ ଭେଲ୍ୟୁ ଆହୁରି ଅଧିକ ହୋଇଯାଇଛି ।

ଇଂଜିନିୟର ହୋଇଥିବାରୁ ଗଣିତ ପ୍ରତି ବାୟଜୁଙ୍କର ସ୍ବାଭାବିକ ଭାବେ ଅଧିକ ଆଗ୍ରହ ଥିଲା । ଏହି ବିଷୟରେ ବିଶେଷଜ୍ଞତା ତାଙ୍କୁ ଖୁବ୍‌ ଶୀଘ୍ର ଛାତ୍ରଙ୍କ ଭିତରେ ଲୋକପ୍ରିୟ କରିଦେଲା । ଏମିତି ସେ ନିଜର ଦୃଢ଼ତାର ଅନୁଭବ କଲେ, ଆଉ ତା ପରେ ସେ କାମରେ ଲାଗିଗଲେ । ଏହି କାରଣରୁ ତାଙ୍କ କମ୍ପାନୀରେ ମାର୍କେଟିଂ କରୁଥିବା ଭାଇସ୍‌ ପ୍ରେସିଡେଣ୍ଟ ଅର୍ଜୁନ ମୋହନଙ୍କ ଭଳି ତାଙ୍କର ବହୁ ଛାତ୍ର ଆଇଆଇଏମ୍‌ରେ ପାଠ ପଢ଼ା ଛାଡ଼ି ତାଙ୍କର ଷ୍ଟାର୍ଟଅପ୍‌ରେ ଯୋଗଦେଲେ । ତାଙ୍କ ସ୍ତ୍ରୀ ଓ କମ୍ପାନୀର ନିର୍ଦ୍ଦେଶିକା ଦିବ୍ୟା ଗୋକୁଲନାଥ ବି ଗଣିତ ଓ ବାୟୋଲୋଜି ପଢ଼ାନ୍ତି । ଦୁହିଁଙ୍କର ସାକ୍ଷାତ ବି ପାଠ ପଢ଼ା ସମୟରେ ହିଁ ହୋଇଥିଲା ।

ଗାଁ ସ୍କୁଲରେ ପାଠ ପଢ଼ିଥିବା ବାୟରୁ ରବୀନ୍ଦ୍ରନ୍‌ କେବେ ସ୍ବପ୍ନରେ ବି ଭାବିନଥିଲେ ଯେ ତାଙ୍କର ଏହି ଷ୍ଟାର୍ଟଅପ୍‌ ଏତେ ବଡ଼ ହୋଇଯିବ ଯେ ବଲିଉଡ୍‌ର ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଏହା ପାଇଁ ବିଜ୍ଞାପନ କରିବେ । କିନ୍ତୁ ଏହା ମାତ୍ର କେଇ ବର୍ଷ ଭିତରେ ସମ୍ଭବ ହୋଇଗଲା ।

ତାଙ୍କ କମ୍ପାନୀର ନାଁ ବି ତାଙ୍କ ଉପରେ ହିଁ ରଖାଯାଇଛି । ବାୟଜୁ ଅନ୍‌ଲାଇନ୍‌ କୋଚିଂ କମ୍ପାନୀ ଏବେ ବାର୍ଷିକ 260 କୋଟି ଟଙ୍କା ଆୟ କରୁଛି । ବାୟଜୁ ଏବେ ଟିଭି ଓ ଡିଜିଟାଲ୍‌ ମାଧ୍ୟମରେ ଜୋରସୋରରେ ନିଜର ବିଜ୍ଞାପନ କରୁଛି, ଯାହାର ନେତୃତ୍ବ ନେଉଛନ୍ତି ଶାହାରୁଖ ଖାନ୍‌ ।

ବାୟଜୁ ଶାହରୁଖଙ୍କୁ ଏଥିପାଇଁ ନିଜର ଆମ୍ବାସାଡାର କଲା, କାରଣ ଶାହାରୁଖ ସବୁ ବୟସର ଲୋକଙ୍କ ଭିତରେ ଲୋକପ୍ରିୟ । ତାଙ୍କର ଲୋକପ୍ରିୟତା ବିଦେଶରେ ମଧ୍ୟ ରହିଛି । ଆଗାମୀ 3 ବର୍ଷ ଭିତରେ କମ୍ପାନୀ ନିଜର ରେଭିନ୍ୟୁ 260 କୋଟିରୁ ବଢ଼ାଇ 3250 କୋଟି କରିବାକୁ ଲକ୍ଷ୍ୟ ରଖିଛି ।

ବାୟଜୁ ଇଂଜିନିୟରିଂ ପଢ଼ା ସମ୍ପୂର୍ଣ୍ଣ କରିବା ପରେ ଏକ ସିପିଂ କମ୍ପାନୀରେ ଚାକିରି କରିବା ଆରମ୍ଭ କରିଥିଲେ । ଏହି ସମୟରେ ନିଜର କିଛି ବନ୍ଧୁଙ୍କୁ ଏମ୍‌ବିଏର ପରୀକ୍ଷା ଦେବାକୁ ଥିଲା । ସେମାନେ ପ୍ରସ୍ତୁତି ପାଇଁ ବାୟଜୁଙ୍କୁ ସାହାଯ୍ୟ ମାଗିଲେ । ବାୟଜୁ ପରୀକ୍ଷାର ପ୍ରସ୍ତୁତିରେ ସାହାଯ୍ୟ କରିବା କଥା ଚିନ୍ତା କଲେ ଆଉ ଏମିତି ଆରମ୍ଭ ହେଲା ତାଙ୍କର ପାଠ ପଢ଼ାଇବା କାମ ।

ବାୟଜୁ ମାତ୍ର 2 ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ କୋଚିଂ । 2011ରେ ସେ ବାୟଜୁ ନାମରେ ନିଜର ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଦିନ ଗୁଡ଼ିକରେ କ୍ଲାସ୍‌ ନେବାକୁ ବାୟଜୁଙ୍କ ବିଭିନ୍ନ ସହରକୁ ଯିବାକୁ ପଡୁଥିଲା । ଏହାକୁ ଦେଖି ପରେ ସେ ଭାବିଲେ ଯେ ସେ କାହିଁକି ଗୋଟିଏ ସ୍ଥାନରେ ରହି ନିଜର ସବୁ ଛାତ୍ରଙ୍କୁ ପଢ଼ାଇ ପାରିବେ ନାହିଁ । ଏମିତି ପ୍ରଥମେ 2009ରେ ସେ CAT ପାଇଁ ଅନ୍‌ଲାଇନ୍‌ ଭିଡ଼ିଓ ଲର୍ଣ୍ଣିଂ ପ୍ରୋଗ୍ରାମ୍‌ ଆରମ୍ଭ କଲେ । ତାଙ୍କର କମ୍ପାନୀ ଚତୁର୍ଥରୁ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଅନ୍‌ଲାଇନ୍‌ କୋଚିଂ ଦେଉଛି । 2015ରେ ସେ BYJU’s ଆପ୍‌ ଲଞ୍ଚ କରିଥିଲେ । ଯାହା ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଛି ।

BYJU’s ଆପ୍‌ରେ କିଛି କଣ୍ଟେଣ୍ଟ ତ ମାଗଣାରେ ମିଳେ । କିନ୍ତୁ ଆଗକୁ ପଢ଼ିବା ପାଇଁ ଫି ଦେବାକୁ ହୁଏ । ଏବେ 40 ଲକ୍ଷରୁ ଅଧିକ ଛାତ୍ର ବାୟଜୁ ସହ ଯୋଡ଼ି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ 7 ଲକ୍ଷ ପେଡ୍‌ ସବ୍‌ସ୍କ୍ରାଇବର ଅଛନ୍ତି । ବାୟଜୁ କମ୍ପାନୀରେ 1000 କର୍ମଚାରୀ କାମ କରନ୍ତି ।

Related Posts