ସାମ୍ବାଦିକକୁ ମାରିଥିଲେ, ଏବେ ମଲା ଯାଏ ଭୋଗିବେ ଜେଲ

Gurmeet Ram Rahim Singh

ନୂଆଦିଲ୍ଲୀ – ସତର ବର୍ଷ ପରେ ମିଳିଲା ଦଣ୍ଡ । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମକୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ଏହାସହ ୫୦ ହଜାର ଟଙ୍କାର ଅର୍ଥ ଦଣ୍ଡ ବି ଲାଗିଛି ରାମ ରହିମ ଉପରେ । ଏହାଛଡା ମାମଲାରେ ସଂପୃକ୍ତ ଅନ୍ୟ ତିନିଜଣ ଦୋଷୀଙ୍କୁ ବି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ହରିଆଣା ପଂଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ।

କଣ ମିଳିଲା ଦଣ୍ଡ :
ଏହାଛଡା ବାବାଙ୍କୁ ବଡ ଝଟକା ଦେଇଛନ୍ତି କୋର୍ଟ । ବଳାକ୍ରାର ମାମଲାରେ ୨୦ ବର୍ଷର କାରାଦଣ୍ଡ ଭୋଗି ସାରିବା ପର ଠାରୁ ଏହି ଆଜୀବନ ଦଣ୍ଡାଦେଶ ଆରମ୍ଭ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଯାହାଫଳରେ ରାମ ରହିମକୁ ଯେବେ ୭୦ ବର୍ଷ ବୟସ ହେବ, ସେବେ ଠାରୁ ଏହି ଦଣ୍ଡାଦେଶ କାର୍ଯ୍ୟ କରିବ । ଫଳରେ ଜେଲରୁ ବାହାରକୁ ବାହାରିବାର ସବୁ ରାସ୍ତା ବନ୍ଦ ହୋଇ ଯାଇଛି ହତ୍ୟାକାରୀ ରାମ ରହିମ ପାଇଁ ।

ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ରାମ ରହିମ ବ୍ୟତୀତ କୃଷ୍ଣଲାଲ , ନିର୍ମଳ ସିଂହ ଓ କୁଲଦୀପ ସିଂହଙ୍କୁ ବି ଆଜୀବନ ସଜା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଗତ ଜାନୁଆରୀ ୧୧ ତାରିଖରେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଜଗଦୀପ ସିଂ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ମାମଲାର ରୂପରେଖ :
ରାମଚନ୍ଦ୍ର ଛତ୍ରପତି ହେଉଛନ୍ତି ସେହି ସାମ୍ବାଦିକ ଯିଏ ବାବା ରାମ ରହିମର ସବୁ କଳା କାରନାମାର ପର୍ଦ୍ଦାଫାଶ କରିଥିଲେ । ଦୁନିଆ ସାମ୍ନାରେ ଜଣାଇଥିଲେ ରାମ ରହିମର ଅସଲ ପରିଚୟ କଣ । ଏ ମାମଲା ଦୀର୍ଘ ୧୭ ବର୍ଷ ତଳର । ସିର୍ସାରେ ‘ପୁରା ସଚ୍’ ନାମରେ ପ୍ରକାଶିତ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଥିଲେ ଛତ୍ରପତି । ୨୦୦୨ରେ ଉକ୍ତ ଖବରକାଗଜରେ ଡେରା ସଚ୍ଚା ସୌଦାର ସବୁ କଳା କାରନାମା ନେଇ ଖବର ଲେଖିଥିଲେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି । ଦୁଇ ସ୍ୱାଧୀଙ୍କୁ ବଳାକ୍ରାର କରାଯାଇଥିବା ନେଇ ବି ଏଥିରେ ଖବର ପ୍ରକାଶ ପାଇଥିଲା । ୨୪ ଅକ୍ଟୋବର ୨୦୦୨ ରାତିରେ ଛତ୍ରପତିଙ୍କ ଘର ବାହାରେ ତାଙ୍କୁ ଗୁଳି କରାଯାଇଥିଲା ଓ ନଭେମ୍ବର ୨୧ରେ ଦିଲ୍ଲୀର ଆପୋଲୋ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଛତ୍ରପତିଙ୍କ ପରିବାର ଲୋକେ ଏହି ଘଟଣାରେ ରାମ ରହିମକୁ ଅଭିଯୁକ୍ତ ଦର୍ଶାଇ ପୁଲିସରେ ଅଭିଯୋଗ କରିଥିଲେ । ୨୦୦୩ରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ଓ ଦୀର୍ଘ ୧୭ ବର୍ଷ ପରେ ଏହି ମାମଲାର ଦଣ୍ଡାଦେଶ ଆସିଛି ।

Related Posts