ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ । ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବ ।ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏନେଇ ନିୟମ ଆଣିଛନ୍ତି ।

ତେବେ ଗତକାଲି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ ପାରିତ ହୋଇଥିଲା । ଗତକାଲି ପାରିତ ହୋଇଥିବା ୧୭ଟି ପ୍ରସ୍ତାବ ବିଷୟରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ଗୃହରେ ଅବଗତ କରାଇଛନ୍ତି ।

ସୂଚନା ଅନୁସାରେ, ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଅନୁଯାୟୀ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ସହାୟତା ଓ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ଏହି ନୀତିର ଲକ୍ଷ୍ୟ । ଓଡିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଏବଂ ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି।

ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି । ସେହିପରି ଦ୍ବିତୀୟ ପ୍ରସ୍ତାବରେ ସୋନପୁର ଜିଲ୍ଲାର ତରଭା, ଉଲୁଣ୍ଡା, ସୋନପୁର ଓ ବୀରମହାରାଜପୁର ବ୍ଲକ୍‌ର ୬୪ଟି ଗ୍ରାମ ପଞ୍ଚାୟତର ୬୨୫ଟି ଗାଁରେ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ୫୫୩ କୋଟି ୮୫ ଲକ୍ଷ ୮୨ ହଜାର ୭୦୦ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି ।

ଏହାସହ ଓଡ଼ିଶା ବୟନ ଶିଳ୍ପି ନୀତି ୨୦୨୨କୁ ଅନମୋଦନ କରାଯାଇଛି । ଓଡ଼ିଶା କାରଖାନା ଓ ନିରୀକ୍ଷଣ ସେବା ନିଯୁକ୍ତି ସହ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ଟିକସ ମୁକ୍ତି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । ଏହା ସହ ସ୍କ୍ରାପିଂ ପଲିସିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ପୂର୍ବରୁ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିଥିବାରୁ ତାହାକୁ ଆଧାର କରି ରାଜ୍ୟ ସରକାର ମଧ୍ୟ ଏହି ପଲିସି ଆଣିଛନ୍ତି ।