
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । କାହିଁକିନା ବିଭାଗୀୟ ସଚିବମାନେ ବିଧାୟକଙ୍କ ଫୋନ ଉଠାଉ ନାହାନ୍ତି କି ପରେ ଫୋନ କରୁନାହାନ୍ତି । ଯଦି ମୋ ଭଳିଆ ପୁରୁଖା ସଦସ୍ୟଙ୍କର ଏଭଳି ଅବସ୍ଥା ହେଉଛି ତାହାଲେ ଅନ୍ୟମାନଙ୍କର ଅବସ୍ଥା କଣ ହୋଇଥିବା ତାହା ଜଣାପଡ଼ୁଛି ବୋଲି ନରସିଂହ ମିଶ୍ର କହିଛନ୍ତି । ଏହ ସହ ବାଚସ୍ପତି ଏହାର ବିଚାର କରିବାକୁ ସେ କହିଛନ୍ତି । ସେପଟେ ଶୂନ୍ୟକାଳରେ ନରସିଂହ ମିଶ୍ର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀର ସୂଚନା ବିଳମ୍ବରେ ବାଚସ୍ପତିଙ୍କୁ ଦିଆଯିବା ନେଇ ଖୋର୍ଦ୍ଧା ଜିଲ୍ଲା ଏସପି ଓ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଥିଲେ । ଏହ ଉପରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ଏଭଳି ଘଟଣାରେ ଜିଲ୍ଲା ଏସପି କିମ୍ବା ତଦନ୍ତକାରୀ ଅଧିକାରୀ ତୁରନ୍ତ ବାଚସ୍ପତିଙ୍କୁ ଅବଗତ କରିବା କଥା । ଶ୍ରୀ ଜଜ୍ଞଦ୍ଦେବ ମାର୍ଚ୍ଚ ୨୨ ତାରିଖ ଦିନ ଅପରାହ୍ନ ୩.୪୦ରେ ଗିରଫ ହୋଇଥିଲେ । କିନ୍ତୁ ପୁଲିସ ବାଚସ୍ପତିଙ୍କୁ ୨୩ ତାରିଖ ଦିନ ଅବଗତ କଲେ । ବିଧାୟକ ଅନ୍ୟ କେଉଁଠାରେ ନୁହେଁ, ଖୋଦ ରାଜଧାନୀରେ ଗିରଫ ହୋଇଥିଲେ ମଧ୍ୟ ପୁଲିସ ବାଚସ୍ପତିଙ୍କୁ ତତକାଳ ଅବଗତ କରିବାକୁ ଉଚିତ ମନେ କଲେ ନାହିଁ ।
ଏହା ଗୃହର ମର୍ଯ୍ୟାଦା ସହିତ ସଦସ୍ରମାନଙ୍କର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି । ବିଧାୟକଙ୍କ ଗିରଫଦାରୀ ସୂଚନା ଦେବା କ୍ଷେତ୍ରରେ ପୁଲିସ ଯେଉଁଭଳି ଖାମଖିଆଲି ମନୋଭାବ ପେଷ୍ଣ କରିଛି ସେ ସଂକ୍ରାନ୍ତରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନରସିଂହ ମିଶ୍ର ଦାବି କରିଛନ୍ତି । କେବଳ ଏତିକି ନୁହେଁ ବରଂ ଆଉ ପୁଲିସ କିମ୍ବା ସରକାରୀ ଅଧିକାରୀ କେହି ବିଧାୟକମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେଉ ନାହାନ୍ତି । ବିଭାଗୀୟ ସଚିବମାନଙ୍କୁ ଫୋନ କଲେ ଅଧିକାଂଶ ଫୋନ ଧରୁନାହାନ୍ତି । କିମ୍ବା ସୌଜନ୍ୟତା ଦୃଷ୍ଟିରୁ ପରେ ଫୋନ କରୁନାହାନ୍ତି । ଏପରିକି ଅଧିକାରୀମାନେ ବୁକ ସର୍କୁଲାର ମାନିବାକୁ ପ୍ରସ୍ତୁତ ନାହାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱାଧୀକାର ଭଙ୍ଗ ନୋଟିସର ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ । ସ୍ୱାଧୀକାର ଭଙ୍ଗ ନୋଟିସ ଆଗତ କରିବା ପୂର୍ବରୁ ବାଚସ୍ପତି ଗୃହକୁ ଅବଗତ କରାଇଥିଲେ ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ସଂକ୍ରାନ୍ତରେ ଖୋର୍ଦ୍ଧା ଏସପି ମାର୍ଚ୍ଚ ୨୩ ତାରିଖରେ ଅପରାହ୍ନ ୨.୪୫ରେ ବିଧାନସଭାର ଇମେଲକୁ ଦୁଇଟି ଚିଠି ପଠାଇଥିଲେ । ହେଲେ ବାଚସ୍ପତି ଏହି ଚିଠିକୁ ୨୫ ତାରିଖରେ ଦେଖିଥିଲେ ।