କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: ମେମୋରୀ ଚିପ୍‌ ଉପରୁ ଉଠିଲା ପରଦା

ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାର ମେମୋରୀ ଚିପ୍‌ କୁ ନେଇ ଲାଗିରହିଥିବା ଚର୍ଚ୍ଚା ମଧ୍ୟରେ ପରଦା ଉଠିଛି । ସେପଟେ ହତ୍ୟା ଘଟଣା ଉପରୁ ପର୍ଦ୍ଦା ହଟି ପାରୁନାହିଁ ନଥିବା ବେଳେ ମୁହଁ ଖୋଲିଛନ୍ତି ମାନସଙ୍କ ବନ୍ଧୁ।

ମାନସଙ୍କ ବନ୍ଧୁଙ୍କ କହିବା ଅନୁସାରେ ଜାନୁଆରୀ ୨୯ ତାରିଖରେ ପୁରୀରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଶୁଟିଂ କରାଯାଇଥିଲା। ସେହି ଚଳଚ୍ଚିତ୍ରରେ ନାୟକ ହୋଇଥିଲେ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ(ଟେକ୍ନିକାଲ୍‌) ନିରଞ୍ଜନ ସେଠୀ। ତାଙ୍କ ସହ ଦୁଇ ଜଣ ଯୁବତୀ ଓ ଜଣେ ମହିଳା ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ଏକ ଗାଧୁଆ ସିନ୍‌ ଥିଲା। ସେହି ଗାଧୁଆ ସିନ୍‌ ଶୁଟିଂ କରିଥିଲେ ଖୋଦ୍‌ ମାନସ ସ୍ୱାଇଁ। ଆଉ ଶୁଟିଂ ସମୟରେ ପାଖେ ପାଖେ ଥିଲେ ଶର୍ମିଷ୍ଠା ରାଉତ। କ୍ଷୁତ୍ର ଚଳଚ୍ଚିତ୍ର ଶୁଟିଂ ପରେ ଅସାବଧାନତା କାରଣରୁ ଡିଲିଟ୍‌ ହୋଇଯାଇଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏଥିପାଇଁ ମାନସଙ୍କୁ ନିରଞ୍ଜନ ଓ ଶର୍ମିଷ୍ଠା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଲା ପରେ ମୋମୋରୀ ଚିପ୍‌ରୁ ଭିଡିଓ ରିକଭରି କରିଦେବେ ବୋଲି ମାନସ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ସମ୍ଭବପର ହେଉନଥିଲା। ଯେଉଁଥିପାଇଁ ମାନସଙ୍କ ୪ରୁ ୫ ମାସର ଦରମା ବନ୍ଦ କରିଦେଇଥିଲେ ଶର୍ମିଷ୍ଠା। ଆଉ ମେମୋରୀ ଚିପ୍‌ରୁ ଭିଡିଓ ରିକଭରୀ କରିବାକୁ ବାରମ୍ୱାର ଚାପ ପକାଉଥିଲେ। ଯାହାକୁ ନେଇ ମାନସ ଚିନ୍ତାରେ ଥିଲେ। ଏହା ପରେ ମାନସ ଚାକିରି ଛାଡ଼ିଥିଲେ। ଏକଥା ମାନସ ତାଙ୍କ ସାଙ୍ଗଙ୍କୁ କହିଥିଲେ। ଯେଉଁ ସାଙ୍ଗ ଭଦ୍ରକକୁ ବାହାଘର ଶୁଟିଂ ପାଇଁ ଯାଇଥିଲେ।

ମାନସଙ୍କ ବନ୍ଧୁ ଆହୁରି ମଧ୍ୟ କହିଛନ୍ତି, ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମର ଉପହ ମହଲାରେ କ୍ଷୁଦ୍ର ଚଳଚ୍ଚିତ୍ର ଶୁଟିଂ ହେଉଥିଲା।

ମାନସ ଚାକିରି ଛାଡ଼ିବା ପରେ ବାହାଘର ଭିଡିଓ ଶୁଟିଂ କରି ଚଳୁଥିଲେ। ଫେବ୍ରୁଆରୀ ୬ ତାରିଖରେ ସେ ଓ ତାଙ୍କ ସାଙ୍ଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରେ ହୋଇଥିବା ବିବାହ କାର୍ଯ୍ୟକ୍ରମରେ ଭିଡିଓ ଶୁଟିଂ କରିବାକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖରେ ଦୁଇ ସାଙ୍ଗ ଭୁବନେଶ୍ୱର ଫେରୁଥିଲେ। ହେଲେ ଅଧା ରାସ୍ତାରୁ ୱେବ୍‌ ପୋର୍ଟାଲ ‘ସମ୍ପୂର୍ଣ୍ଣ’ର ମାଲିକାଣୀ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀମାନେ ମାନସଙ୍କୁ ଅପହରଣ କରିନେଇଥିଲେ ମାନସଙ୍କୁ ଅପହରଣ କରାଯାଇ ଦୟାଲ୍‌ ଆଶ୍ରମକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା। ଖୋଦ୍‌ ନିରଞ୍ଜନ ସେଠାକୁ ଯାଇ ମାନସଙ୍କୁ ମାଡ଼ ମାରିଥିଲେ। ମାଡ଼ ମରାଯାଉଥିବା ବେଳେ ମାନସଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ।

ମାନସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚାନ୍ଦବାଲି ପୁଲିସ୍‌ ନିରଞ୍ଜନଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଫେରାର ଅଛନ୍ତି। ତାଙ୍କ ପତ୍ତା ପାଉନି ପୁଲିସ୍‌। ଏବେ ସେହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।

Related Posts