ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ହେଲେ ବିଧାୟକ ଦଳ ନେତା

ଲକ୍ଷ୍ନୌ: ବିଧାୟକ ଦଳ ନେତା ମନୋନୀତ ହୋଇଛନ୍ତି ସମାଜବାଦୀ ପାର୍ଟି (ସପା) ଜାତୀୟ ସଭାପତି ଅଖିଳେଶ ଯାଦବ । ସର୍ବସମ୍ମତ କ୍ରମେ ବିଧାନସଭାରେ ଅଖିଳେଶ ବିରୋଧୀ ଦଳ ନେତା ହେଉଥିବା ନିଶ୍ଚିତ ହୋଇଯାଇଛି। ପାର୍ଟିର ପ୍ରଦେଶ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଅଖିଳେଶଙ୍କୁ ବିଧାୟକ ଦଳ ନେତା ମନୋନୟନ କରାଯାଇଛି। ଏହି ବୈଠକରେ ଉଭୟ ବିଧାସଭା ଓ ବିଧାନପରିଷଦର ନବ ନିର୍ବାଚିତ ସଦସ୍ୟମାନେ ଯୋଗ ଦେଇଥିଲେ।

ବରିଷ୍ଠ ବିଧାୟକ ଅବଧେଶ ପ୍ରସାଦ ଅଖିଳେଶଙ୍କ ନାମ ପ୍ରସ୍ତାବ କରିଥିଲେ। ଏହାକୁ ଆଲମ ବଦୀ ଅନୁମୋଦନ କରିଥିଲେ। ସେହିପରି ବିଧାନମଣ୍ଡଳ ଦଳର ପ୍ରସ୍ତାବକ ଲାଲଜୀ ବର୍ମା ହୋଇଥିବା ବେଳେ ରାଜେନ୍ଦ୍ର ଚୌଧୁରୀ ଅନୁମୋଦନ କରିଥିଲେ। ପରେ ଅଖିଳେଶ ନିର୍ବିବାଦରେ ନେତା ନିର୍ବାଚିତ ହୋଇଥିଲେ। ଏଥିରେ ଅଖିଳେଶଙ୍କୁ ଦଳରେ ସ୍ୱାଗତ ଅଭିନନ୍ଦନ କରାଯାଇଥିଲା। ଅଖିଳେଶ ପ୍ରଥମ ଥର ବିଧାନସଭା ନିର୍ବାଚନକୁ ଓହ୍ଲାଇଥିବା ବେଳେ ମେନପୁରୀ କରହଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି।

କରହଲକୁ ସମାଜବାଦୀ ପାର୍ଟିର ସବୁଠୁ ସୁରକ୍ଷିତ ଆସନ ମନେ କରାଯାଏ। ଆଜମଗଡ଼ରୁ ସାଂସଦ ଥାଇ ବିଧାନସଭା ନିର୍ବାଚନରେ ବିଜୟୀ ଅଖିଳେଶ ଲୋକସଭା ଆସନ ତ୍ୟାଗ କରିଦେଇଛନ୍ତି। ଅଖିଳେଶଙ୍କ ପୂର୍ବରୁ ବଲିୟା ବାଂସଡିହ ବିଧାୟକ ରାମଗୋବିନ୍ଦ ଚୌଧୁରୀ ଦଳ ପକ୍ଷରୁ ବିଧାନସଭାରେ ବିରୋଧୀ ଦଳ ନେତା ହେଉଥିଲେ।

Related Posts