ବିଜେଡି କହିପାରିବ କି ୨୨ ବର୍ଷରେ ୨୨ଟି ଭଲ କାମ କରିଛି, କହିଦେଲେ ମୁଁ ରାଜନୀତି ଛାଡିଦେବି: ବିଶେଶ୍ୱର ଟୁଡୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ନିଜର ସଙ୍ଗଠନକୁ ସୁଦୃଢ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି । ଦଳର କେନ୍ଦ୍ରୀୟ ନେତା ମାନେ ମଧ୍ୟ ଓଡ଼ିଶାକୁ ଫୋକସରେ ରଖିଛନ୍ତି। ଏସବୁ ଭିତରେ ପୁରୀରେ ଦଳର ୩ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ ନେତା ମାନଙ୍କୁ ଗୁରୁମନ୍ତ୍ର ଦିଆଯାଉଛି। ଆଜି ଏହି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିନରେ ଯୋଗଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ସେ କହିଛନ୍ତି ଯେ, ଏହି ପ୍ରଶିକ୍ଷଣ ଶିବିର ଦଳର ଏକ ନିୟମିତ ପ୍ରକ୍ରିୟା। ଦଳର ସଙ୍ଗଠନ ସୁଦୃଢ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହି ଶିବିର ଏହାର ଏକ ଅଂଶବିଶେଷ।

ଏହି ଅବସରରେ ରାଜ୍ୟର ବିଜେଡି ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ଟୁଡୁ କହିଛନ୍ତି ଯେ, ନିର୍ବାଚନ ଜିତିବା ହାରିବା ବଡ଼ କଥା ନୁହେଁ। ହେଲେ ବିଜେଡି ଛାତି ବାଡେଇକି କହିପାରିବ କି ୨୨ ବର୍ଷରେ ୨୨ଟି ଭଲ କାମ କରିଛି। କହିଦେଲେ ମୁଁ ରାଜନୀତି ଛାଡିଦେବି। ୨୨ ବର୍ଷ ଧରି ରାଜ୍ୟରେ କିଭଳି ଶାସନ ଚାଲିଛି ଲୋକେ ଜାଣି ସାରିଲେଣି। ଏକଥା କାହାକୁ କହିବା ଆବଶ୍ୟକତା ନାହିଁ। ନବୀନ ବାବୁ ଏବେ ଚାରିଆଡ଼େ ବଡ଼ ବଡ଼ ପୋଷ୍ଟର ମାରୁଛନ୍ତି ‘୨୫ ବର୍ଷ ଓଡ଼ିଶା ବାସୀଙ୍କ ସେବାରେ’ ଏହାକୁ ‘୨୫ ବର୍ଷ ଓଡ଼ିଶା ବାସୀଙ୍କୁ ଲୁଟିବରେ’ ଲେଖି ପରିବର୍ତ୍ତନ କରି ଦିଅନ୍ତୁ ବୋଲି ସେ କହିଛନ୍ତି।

Related Posts