(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଞ୍ଜାବ କଂଗ୍ରେସରେ କ୍ୟାପଟେନ ଓ ସିଦ୍ଧୁଙ୍କ ବିବାଦ ଥମିବାର ନାଁ ନେଉନି । କିଛିଦିନ ପୂର୍ବରୂ କ୍ୟାପଟେନ ଓ ସିଦ୍ଧୁଙ୍କର ବିବାଦ ଥମିଯାଇଥିଲା ବେଳେ ସିଦ୍ଧୁଙ୍କର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନେଇ କରିଥିବା ଟ୍ୱିଟ ପୁଣିଥରେ ଏହି ବିବାଦକୁ ଜୋର ଧରିବାରେ ସାହାଯ୍ୟ କରିଛି । ଏହା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଅପରିପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲ କହିଛନ୍ତି, ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ନୂଆଦିଲ୍ଲୀରେ ସେନିଆଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ବିଷୟ ଉପରେ ଆଲୋଚନା ହୋଇଛି। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର କଂଗ୍ରେସ ଅଧ୍ୟକ୍ଷାଙ୍କ ସହ ପ୍ରାୟ ଏକ ଘଣ୍ଟା ସମୟ ଧରି ଆଲୋଚନା କରିଛନ୍ତି ।
ଏହି ଆଲୋଚନା ପରେ ଅମରିନ୍ଦର ସିଂହ ବହୁତ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ସାକ୍ଷାତକୁ ନେଇ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ଵତ କହିଛନ୍ତି, ମୋତେ ଲାଗୁଛି ସୋନିଆ ରାଜ୍ୟ ସରକାର ଓ ସଂଗଠନ ଉଭୟକୁ ପରସ୍ପର ସହ ମିଶି କାମ କରିବାକୁ ନିଶ୍ଚୟ ପରାମର୍ଶ ଦେଇଥିବେ। ଅମରିନ୍ଦର ସିଂହ ଓ ନବଜୋତ ସିଂହଙ୍କୁ ନିଜ ନିଜ ସୀମାରେ ରହି କାମ କରିବେ ଏବଂ ପରସ୍ପରର ସହଯୋଗ କରିବାକୁ କହିଥିବେ। ହେଲେ ଉଭୟ ନେତାଙ୍କ ମଧ୍ୟରେ ବଢୁଥିବା ତାକ୍ତତାକୁ ଦୃଷ୍ଟିରେ ରଖି ଏହା ସମ୍ଭବ ହେବା ପରି ମନେ ହେଉନି ବୋଲି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ଵତ କହିଛନ୍ତି । ତେବେ ୨୦୧୮ ଡ୍ରଗ୍ସ ଚୋରାଚାଲାଣ ଘଟଣାରେ ଅକାଳୀ ନେତା ବିକ୍ରମ ମାଜିଥା ଓ ଅନ୍ୟମାନଙ୍କ ବିରୋଧରେ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ଉପରେ ସିଦ୍ଧୁ ପ୍ରଶ୍ନ କରିଥିଲେ। ଏଥିସହ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।
ସେ କହିଥିଲେ ଯେ ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଠାବ କରି ଜେଲ ପଠାଇବା ହେଉଛି କଂଗ୍ରେସର ୧୮ ପଏଣ୍ଟ ବିଶିଷ୍ଟ ଏଜେଣ୍ଡାର ଅଂଶବିଶେଷ। ସରକାର ମାଜିଥାଙ୍କ ବିରୋଧରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି? ଯଦି କାର୍ଯ୍ୟନୁଷ୍ଠାନରେ ବିଳମ୍ବ ହେବ, ତା’ହେଲେ ଆମେ ବିଧାନସଭାରେ ଗୋଟିଏ ସଂକଳ୍ପ ପ୍ରସ୍ତାବ ଆଣିବୁ। ଏହି ସଂକଳ୍ପ ଦ୍ୱାରା ସବୁ ତଥ୍ୟ ସାର୍ବଜନୀନ କରିବାର ନିୟମ ରହିବ ବୋଲି ସିଦ୍ଧୁ କହିବା ସହ ନିଜ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ପୁଣିଥରେ ଆରମ୍ଭ ହୋଇଥିଲା କ୍ୟାପଟେନ ଓ ସିଦ୍ଧୁଙ୍କର ବାକଯୁଦ୍ଧ । ଅପରିପକ୍ଷରେ ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟ ସଭାପତି ପଦ ମିଳିବା ପରେ ଅମରିନ୍ଦରଙ୍କ ସହ ତାଙ୍କର ଆନୁଷ୍ଠାନିକ ପଦ ଗ୍ରହଣ ସମାରୋହରେ ସାକ୍ଷାତ ହୋଇଥିଲା। ଏହା ପରେ ଆଶା କରାଯାଉଥିଲା ଯେ, ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ସାରିଛି। ହେଲେ ଏପରି ଚିତ୍ର ସାମ୍ନାକୁ ଆସିବା ପରେ ଜଣାପଡୁଛି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ସିଦ୍ଧୁଙ୍କର ତିକ୍ତତା ଦୀର୍ଘ ସମୟଧରି ଚାଲିବ ।