ସୋନିଆ ଗାନ୍ଧୀଙ୍କ ପରେ ପ୍ରଶାନ୍ତ କିଶୋରଙ୍କୁ ଭେଟିଲେ କ୍ୟାପଟେନ୍ , ବୈଠକକୁ ନେଇ ଜୋର ଧରିଲା ରାଜନୀତି !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶାସକ କଂଗ୍ରେସ ଦଳରେ ଏବେ ଦଳୀୟ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଦଳୀୟ କନ୍ଦଳ ସମାଧାନ କରିବାକୁ ହାଇକମାଣ୍ଡ ପଞ୍ଜାବ ନେତା ମାନଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରୁଛନ୍ତି। ପ୍ରଥମେ ଅସନ୍ତୁଷ୍ଟ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଜୁଲାଇ ୬ ତାରିଖରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ବୈଠକର ଗୋଟିଏ ଦିନ ପରେ ଜୁଲାଇ ୭ ତାରିଖରେ କ୍ୟାପଟେନ୍ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ଏକ ବୈଠକ କରିଥିଲେ। କିଶୋରଙ୍କ ସହ ପଞ୍ଜାବ ସିଏମଙ୍କ ଏହି ବୈଠକ ଅମରିନ୍ଦର ସିଂଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ପ୍ରଶାନ୍ତ କିଶୋର ପଞ୍ଜାବ ଗସ୍ତରେ ଯାଇଥିଲେ। ତେବେ ବେଙ୍ଗଲ ବିଧାନସଭା ନିର୍ବାଚନ ପରେ କିଶୋର ରଣନୀତିକାର କାମ ଛାଡିବା ନେଇ ଘୋଷଣା କରିଥିଲେ।

ଏହି ସାକ୍ଷାତର ଅର୍ଥ କ’ଣ ?

 ତେବେ କିଶୋରଙ୍କ ସହ କ୍ୟାପଟେନ୍ ଙ୍କ ବୈଠକ ସମ୍ପର୍କରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ରେ ଏକ ରିପୋର୍ଟ ପ୍ରକାଶ ପାଇଛି।  ରିପୋର୍ଟରେ କୁହାଯାଇଛି ଯେ ନବଜୋତ ସିଂ ସିଦ୍ଧୁଙ୍କ ସହ ତିକ୍ତତା ମଧ୍ୟରେ ପ୍ରଶାନ୍ତ କିଶୋରଙ୍କ ସହ ଅମରିନ୍ଦର ସିଂଙ୍କ ସାକ୍ଷାତ ସିଏମ୍ କ୍ୟାମ୍ପ ପାଇଁ ଖୁସିର ଖବର। ସିଦ୍ଧୁଙ୍କ ବ୍ୟତୀତ ଅନେକ କଂଗ୍ରେସ ବିଧାୟକ ଏବଂ ନେତା ଅମରିନ୍ଦରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି।  ଦଳର ଏହି ଆଭ୍ୟନ୍ତରୀଣ କନ୍ଦଳରେ ଯବନିକା ପକାଇବାକୁ ସୋନିଆ ଗାନ୍ଧୀ ପଞ୍ଜାବକୁ ତିନିଜଣିଆ ପ୍ୟାନେଲ ପଠାଇଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସ ସୂତ୍ରରୁ ପ୍ରକାଶ ଯେ ପିକେ କୌଣସି ବି ରାଜନେତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ନାହିଁ।

ସୂଚନା ମୁତାବକ , “ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରଶାନ୍ତ କିଶୋରଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି। ସେ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ ଏବଂ କିଶୋର ଦିଲ୍ଲୀରେ ଥିବା ହେତୁ ଉଭୟଙ୍କ ସାକ୍ଷାତକାର ହୋଇଥିଲା।” ପଞ୍ଜାବର ଅଧିକାଂଶ ବିଧାୟକ ପ୍ରଶାନ୍ତ କିଶୋରଙ୍କୁ ପୁଣି ଥରେ ଆଣିବାକୁ ବିରୋଧ କରିଥିଲେ। କିନ୍ତୁ ବର୍ତ୍ତମାନ ପିକେ- କ୍ୟାପଟେନଙ୍କ ବୈଠକ ରାଜନୈତିକ ତିକ୍ତତାକୁ ଭିନ୍ନ ସଙ୍କେତ ଦେବ। ଆଗକୁ ନିର୍ବାଚନ ଆସୁଥିବା ବେଳେ ଆମ୍ ଆଦମୀ ପାର୍ଟି ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରୁଥିବା ବେଳେ ପଞ୍ଜାବରେ ଏବେ ବିଜୁଳିକୁ ନେଇ ରାଜନୀତି ଜୋର ଧରିଛି। ଅପରପକ୍ଷରେ ଅକାଳୀ ଦଳ ବିଏସପି ସହ ଗଠବନ୍ଧନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛି। 

Related Posts