ରଥଯାତ୍ରା ସିଧାପ୍ରସାରଣ କଟକଣାକୁ ନେଇ ବିବାଦ

ସତ୍ୟପାଠ ବ୍ୟୁରୋ : ରଥଯାତ୍ରା ସିଧାପ୍ରସାରଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନର କଟକଣା ପରେ ଆରମ୍ଭ ହୋଇଛି ବିବାଦ । ସ୍ୱର ଉଠାଇଲେଣି ବିଭିନ୍ନ ଗଣମାଧ୍ୟମ ସଂସ୍ଥା । କିଏ ଅଧିକ ଟଙ୍କା ଦେଇ ବିଡ୍ ନେବ ତାକୁ ନେଇ ଗୋଟିଏ ପଟେ ପ୍ରତିଯୋଗୀତା ଚାଲିଛି । ଆଉ ତା ଭିତରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମୁଖ୍ୟ ଓ ସାମ୍ବାଦିକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କିଏ କହୁଛି ମହାପ୍ରଭୁଙ୍କୁ ନେଇ ବେପାର ଚାଲିଛି ଆଉ କିଏ କହୁଛି ରଥଯାତ୍ରା କ୍ରିକେଟ ଖେଳ ନୁହେଁ ଯେ, ତାହାର ସିଧାପ୍ରସାରଣକୁ ବିକ୍ରି କରାଯିବ ।

ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଚଳିତ ଥର ଲାଗିଛି କଟକଣା । ପ୍ରଶାସନର ଟେଣ୍ଡର ନିଲାମୀ ପ୍ରକ୍ରିୟାରେ ଭାଗ ନେବାକୁ କହିଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ଦିନ ୪ଟା ଭିତରେ ବିଡ୍ ପାଇଁ ଆବେଦନ କରାଯିବ । ଯେଉଁ ଚାନେଲ ବିଡ୍ ନେବେ କେବଳ ସେହି ଗୋଟିଏ ଚାନେଲ ହିଁ ସିଧାପ୍ରସାରଣ କରିପାରିବେ । ବିଡ୍ ପାଇଥିବା ଚାନେଲ ଦୂରଦର୍ଶନକୁ ମାଗଣା ଲାଇଭ୍ ଫିଡ୍ ଯୋଗାଇ ଦେବ । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ସବୁଠୁ ବଡକଥା ହେଲା, ରଥଯାତ୍ରା ବଡଦାଣ୍ଡରେ ହେଉଥିବାରୁ ଏହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପୁରୀକୁ ଆସି ପାରୁ ନଥିବା ଶ୍ରଦ୍ଧାଳୁମାନେ ବିଭିନ୍ନ ଚାନେଲ ମାଧ୍ୟମରେ ରଥଯାତ୍ରାର ସିଧାପ୍ରସାରଣ ଦେଖିବାର ସୁଯୋଗ ପାଇଥାନ୍ତି । ଫଳରେ ଏହି ସମୟରେ ଚାନେଲ ମାନେ ବିଜ୍ଞାପନ ଜରିଆରେ କିଛି ରୋଜଗାର ମଧ୍ୟ କରିଥାନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ କହିବା କଥା, ରଥଯାତ୍ରାକୁ ଦେଖାଇ ଚାନେଲ ମାନେ ବହୁ ଅର୍ଥ ରୋଜଗାର କରୁଥିଲେ ବି ସେଥିରୁ ଟଙ୍କାଟିଏ ବି ମହାପ୍ରଭୁଙ୍କୁ ମିଳେ ନାହିଁ । ଯେଉଁଥିପାଇଁ ଏହି ନିଲାମୀ ପ୍ରକ୍ରିୟା କରାଯାଉଛି ।

Related Posts