ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ସିବିଆଇର ଆକ୍ସନ: ଜମ୍ମୁ-କାଶ୍ମୀର କୃଷି ନିର୍ଦ୍ଦେଶାଳୟର ୨ ଅଧିକାରୀ ଲାଞ୍ଚ ନେଲା ବେଳେ ଗିରଫ

ନୂଆଦିଲ୍ଲୀ: ଆକ୍ସନ ରେ ସିବିଆଇ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ସିବିଆଇର ତୀକ୍ଷ୍ଣ ନଜର । ଅନେକ ସମୟରେ ସିବିଆଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଝାମ୍ପ ମାରୁଥିବା ବେଳେ, ଗୁରୁବାର ସିବିଆଇ ଜମ୍ମୁ-କାଶ୍ମୀର କୃଷି ନିର୍ଦ୍ଦେଶାଳୟର ୨ ଅଧିକାରୀଙ୍କୁ ଲାଞ୍ଚ ନେଲା ବେଳେ ଗିରଫ କରିଛି ।

ସିବିଆଇ ଚାରା ସଂରକ୍ଷଣ ଅଧିକାରୀ ଦେବେନ୍ଦ୍ର ଶର୍ମା ଓ କ୍ଷେତ୍ର ସହାୟକ ରାଜେନ୍ଦ୍ର କୁମାରଙ୍କୁ ଗିରଫ କରିଛି । ଏହି ଦୁଇ ଅଧିକାରୀ ୧୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, କୃଷି ସହକାରୀ ସମିତିର ଜଣେ ସଦସ୍ୟ ୨ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏଥିରେ କୁହାଯାଇଥିଲା ଯେ, ବିକ୍ରି, ଷ୍ଟକ୍ ଓ ବିତରଣରେ ଦୁର୍ନୀତି ହେଉଛି । ଏହାସହ ଦୁଇ ଅଧିକାରୀଙ୍କ ବିରୋଧରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା କୁହାଯାଇଥିଲା ।

ଅଭିଯୋଗକାରୀ ଆହୁରି କହିଛନ୍ତି ଯେ, ଜଣେ ସଦସ୍ୟ କୃଷି ଅଧିକାରୀଙ୍କ ନିକଟକୁ କୌଣସି ଏକ ଲାଇସେନ୍ସ ପାଇଁ ଯାଇଥିଲେ । କିନ୍ତୁ ଅଧିକାରୀଦ୍ୱୟ ଏଥିପାଇଁ ଲାଞ୍ଚ ମାଗିଥିଲେ । ପ୍ରଥମେ ସେ ୧୫ ହଜାର ଟଙ୍କା ମାଗିଥିବା ବେଳେ ୧୨ ହଜାର ଟଙ୍କାରେ କଥା ଛିଡିଥିଲା ।

ସିବିଆଇ ଏହି ଦୁଇ ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଅଭିଯୋଗ ଆଧାରରେ ଦୁଇ ଅଧିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ତଦନ୍ତକାରୀ ସଂସ୍ଥା । ଗିରଫ ଦ୍ୱୟଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ ବୋଲି ଜଣା ପଡୁଛି ।

Related Posts