କୋଲକାତା ହାଇକୋର୍ଟଙ୍କ ଟିଏମସି ନେତାଙ୍କୁ ଗୃହବନ୍ଦୀ ରଖିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲା ସିବିଆଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ହୋଇଥିବା ୪ ଟିଏମସି ନେତାଙ୍କୁ ଗୃହବନ୍ଦୀରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ । ଏହି ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଗିରଫ ୪ ରାଜନେତାଙ୍କ ମଧ୍ୟରେ ଟିଏମସିର ୩ ବରିଷ୍ଠ ନେତା ଏବଂ ଏମାନଙ୍କ ମଧ୍ୟରୁ ୨ ଜଣ ମମତାଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି। ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ହୋଇଥିବା ଟିଏମସି ନେତାମାନେ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋଲକାତା ହାଇକୋର୍ଟ ସମସ୍ତଙ୍କୁ ଜେଲରେ ରଖିବା ବଦଳରେ ଗୃହବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଲକାତା ହାଇକୋର୍ଟଙ୍କ ଏକ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ ବୋଲି କୋର୍ଟ କହିଥିଲେ । ଆଜି ଏହାର ଶୁଣାଣି ହେବାକୁ ଥିବା ବେଳେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ଗିରଫ ରାଜନେତାଙ୍କ ମଧ୍ୟରେ ମନ୍ତ୍ରୀ ଫିରହଦ ହକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମିଦନ ମିତ୍ର ଓ ଟିଏମସି ଛାଡ଼ି ବିଜେପିରେ ଯୋଗଦେବା ପରେ ମାର୍ଚ୍ଚ ମାସରେ ବିଜେପି ଛାଡିଥିବା ସୋଭନ ଚାଟାର୍ଜୀ ରହିଛନ୍ତି। 2014 ରେ ନାରଦା ଲାଞ୍ଚ ମାମଲା ଘଟିଥିବା ବେଳେ ଏହି ଚାରିଜଣ ମମତା ବାନାର୍ଜୀ ସରକାରରେ ମନ୍ତ୍ରୀ ଥିଲେ। ନାରଦା ନ୍ୟୁଜ ଚ୍ୟାନେଲ ପକ୍ଷରୁ ହୋଇଥିବା ଷ୍ଟିଙ୍ଗ ଅପରେସନରେ ଏହି ନେତମାନେ ଲାଞ୍ଚ ନେଉଥିବାର ଦୃଶ୍ୟ କଏଦ ହୋଇଥିଲା । ତେବେ ଶୁଭେନ୍ଦୁ ଅଧିକାରୀ, ସୌଗତ ରଏ, କକୋଲି ଘୋଷ ଦସ୍ତିଦାର, ପ୍ରସୁନ ବାନାର୍ଜୀ, ଅପରୁପା ପୋଦାରଙ୍କୁ ତଦନ୍ତ ପରିସରକୁ ନେବା ପାଇଁ ବାଚସ୍ପତି ଓମ ବିର୍ଲାଙ୍କୁ ସିବିଆଇ ଅନୁମତି ମାଗିଛି । ପୂର୍ବରୁ ଟିଏମସିର ରାଜ୍ୟସଭା ସାଂସଦ ଥିବା ମୁକୁଲ ରଏ ଓ ଲୋକସଭା ସାଂସଦ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ମୁକୁଲଙ୍କୁ ସିବିଆଇ ଗିରଫ କରିନଥିବା ବେଳେ ଶୁଭେନ୍ଦୁଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନେବା ପାଇଁ ବାଚସ୍ପତି ଅନୁମତି ଦେଇନାହାନ୍ତି ।

Related Posts