
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: କୋଭିଡ 19 ର ଦ୍ବିତୀୟ ଲହର ମଧ୍ୟରେ ଉତ୍ତରାଖଣ୍ଡକୁ “ସାବତ ଛୁଆ ” ଭଳି ବ୍ୟବହାର କରିବା ଏବଂ ରାଜ୍ୟକୁ ଆବଶ୍ୟକୟୀ ଚିକିତ୍ସା ସହାୟତା ଯୋଗାଇ ନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନୈନତାଲ ହାଇକୋର୍ଟ । ରାଜ୍ୟରେ କରୋନା ମହାମାରୀ ପରିଚାଳନା ସହ ଜଡିତ ଜନସ୍ୱାର୍ଥ ମାମଲାର (ପିଆଇଏଲ୍) ଶୁଣାଣି ବେଳେ ପ୍ରଧାନ ବିଚାରପତି ଆର.ଏସ୍ ଚୌହାନ ଏବଂ ଜଷ୍ଟିସ୍ ଆଲୋକ ବର୍ମାଙ୍କ ଏକ ବେଞ୍ଚ କହିଛନ୍ତି ଯେ କେନ୍ଦ୍ରସରକାର ଆଜି ପର୍ଯ୍ୟନ୍ତ କାହିଁକି ଉତ୍ତର ଦେଇ ନାହିଁ। ରାଜ୍ୟର ଦୁର୍ଗମ ଅଞ୍ଚଳ ଯେଉଁଠି ଔଷଧ, ଅମ୍ଳଜାନ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଅଭାବ ରହିଛି , ରାଜ୍ୟ ସ୍ୱାସ୍ଥ୍ୟ ସଚିବ ମେ 10 ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଲେଖିଥିଲେ। ସେ କେନ୍ଦ୍ରକୁ 1000 ଅମ୍ଳଜାନ କନ୍ସନଟ୍ରେଟର ଯୋଗାଇବା ଏବଂ କୋଭିଡ କେୟାର ପାଇଁ ଆବଶ୍ୟକ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରାଇବା ପରେ ମଧ୍ୟ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନଥିବା ହେତୁ କୋର୍ଟ କ୍ଷଭୋ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବୋଧ ୟୁନିୟାଲ କହିଛନ୍ତି ଯେ କୋର୍ଟର ପ୍ରତ୍ୟେକ ଆଦେଶ ପାଳନ କରାଯିବ ଏବଂ କରୋନାରୁ ଲୋକଙ୍କ ଜୀବନ ରକ୍ଷା କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ହାଇକୋର୍ଟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସାମାଜିକ କର୍ମୀ ତଥା ଗବେଷକ ଅନୁପ ନାଟିଆଲ କହିଛନ୍ତି ଯେ ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାଁନ୍ତି। “ହାଇକୋର୍ଟ କ୍ରମାଗତ ଭାବରେ ସରକାରଙ୍କୁ ଆଇନା ଦେଖାଇଛନ୍ତି। ଦୁର୍ଭାଗ୍ୟବଶତଃ ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାଁନ୍ତି। ଏହାର ସବୁଠାରୁ ବଡ ପ୍ରମାଣ ହେଉଛି କୁମ୍ଭ ମେଳା ସମୟରେ ପ୍ରତିଦିନ 50 ହଜାର କରୋନା ପରୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାର 30 ଦିନ ମଧ୍ୟରେ 15 ଲକ୍ଷ ପରୀକ୍ଷା କରିବା ପରିବର୍ତ୍ତେ ମାତ୍ର 40 ହଜାର ଟେଷ୍ଟ କରିଥିଲେ ।