ନିର୍ବାଚନ ସରିଲା ସିବିଆଇ ଫେରିଲା : ଟିଏମସିର ଦୁଇ ମନ୍ତ୍ରୀ ସମେତ ୪ ନେତା ଗିରଫ, ମମତା କହିଲେ ମୋତେ ବି ଗିରଫ କର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶ ଏବେ ମହାମାରୀ ସହ ଲଢୁଥିବା ବେଳେ ବେଙ୍ଗଲରେ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ଘୋଷଣାର ମାସଟିଏ ବି ହୋଇନି ବେଙ୍ଗଲରେ ସିବିଆଇ ଆକ୍ସନ୍ ମୋଡ୍ କୁ ଫେରିଛି। ଆଉ ନିଶାନାରେ ଅଛନ୍ତି ଟିଏମସିର ହେଭିୱେଟ୍ ନେତା ଓ ମନ୍ତ୍ରୀ। ବହୁ ଚର୍ଚ୍ଚିତ ନାରଦା ଲାଞ୍ଚ କାରବାର ମାମଲାରେ ସିବିଆଇ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଫିରହାଦ ହକିମ, ସୁବ୍ରତ ମୁଖାର୍ଜୀ, ବରିଷ୍ଠ ବିଧାୟକ ମଦନ ମିତ୍ର ଓ ପୂର୍ବତନ ଟିଏମସି ନେତା ସୋଭନ ଚାଟାର୍ଜୀଙ୍କୁ ସେମାନଙ୍କ ଘରୁ ଉଠାଇ ନେଇଛି। ଦଳର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ପହଞ୍ଚିଯାଇଛନ୍ତି । ଆଉ କହିଛନ୍ତି ମୋତେ ବି ଗିରଫ କରନ୍ତୁ। କୋର୍ଟ ଅବା ରାଜ୍ୟ ସରକାରଙ୍କ ବିନା ନୋଟିସ୍‌ରେ ସିବିଆଇ ଏଭଳି କରି ପାରିବ ନାହିଁ ବୋଲି ସେ କହିଛନ୍ତିି। ତୃଣମୂଳ ଏମ୍‌ପି ତଥା ଓକିଲ କଲ୍ୟାଣ ବାନାର୍ଜୀ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସୋମବାର ସକାଳେ ସିବିଆଇ ଟିମ୍‌ ଫିରହାଦଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରୁ ସବିଆଇ ତାଙ୍କୁ ଉଠାଇ ନେଇଥିଲା। ଏହା ସହ ଅନ୍ୟ ୩ ନେତାଙ୍କୁ ମଧ୍ୟ ଘରୁ ଉଠାଇ ଆଣିଛି। କିଛି ଦିନ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧାନଖଡ ଫିରହାଦ ଓ ଅନ୍ୟ ୩ ଜଣ ଟିଏମସି ନେତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ସିବିଆଇକୁ ଅନୁମତି ଦେଇଥିଲେ।

ତେବେ ନିୟମ ଅନୁଯାୟୀ କୌଣସି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ବିଧାନସଭା ବାଚସ୍ପତିଙ୍କ ଅନୁମତି ନେବା ଆବଶ୍ୟକ କିନ୍ତୁ ସିବିଆଇ ବାଚସ୍ପତିଙ୍କ ବଦଳରେ ରାଜ୍ୟପାଳଙ୍କୁ ଅନୁମତି ମାଗିଥିଲା। ଆଉ ରାଜ୍ୟପାଳ ମଧ୍ୟ ଅନୁମତି ଦେଇଥିଲେ। ତେବେ ସିବିଆଇର ଏହି ଅତର୍କିତ କାର୍ଯ୍ୟାନୁଷ୍ଠାନ କୁ ନେଇ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ୍ ବାନାର୍ଜୀ କହିଛନ୍ତି ଯେ ହାଇକୋର୍ଟଙ୍କ ଅନୁଯାୟୀ କୌଣସି MLA ଙ୍କୁ ଗିରଫ କରିବା ପୂର୍ବରୁ ବାଚସ୍ପତିଙ୍କୁ ସୂଚନା ଦିଆଯିବା ଆବଶ୍ୟକ କିନ୍ତୁ ସିବିଆଇ ସୂଚନା ଦେଇ ନଥିବା ସେ କହିଛନ୍ତି ।

୨୦୧୪ ମସିହାରେ ନାରଦା ଲାଞ୍ଚ କାରବାର ମାମଲା ଘଟିଥିଲା। ସେହି ସମୟରେ ଏହି ୪ ନେତା ମମତାଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ନାରଦା ନ୍ୟୁଜ ପୋର୍ଟାଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନରେ ଟିଏମସି ନେତାମାନେ ଟଙ୍କା ନେଉଥିବା ଅଭିଯୋଗ ଥିଲା। ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ରିଲିଜ୍‌ ହୋଇଥିଲା। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ୧୬ ଏପ୍ରିଲ ୨୦୧୭ ରେ ଏକ ମାମଲା ରୁଜୁ କରିଥିଲା। ରାଜ୍ୟପାଳ ଧନଖଡଙ୍କ ଏଭଳି ଆକ୍ରୋଶ ମୂଳକ ପଦକ୍ଷେପକୁ ନେଇ ଫିରହାଦ୍ ହକିମ କହିଛନ୍ତି ଯେ , “ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି। ମୁଁ ନିଶ୍ଚିତ ଯେ ଆମ ସମସ୍ତଙ୍କୁ ନ୍ୟାୟ ମିଳିବ। ବିଜେପି ମୋର ଭାବମୂର୍ତ୍ତି ଏବଂ କ୍ୟାରିଅର ନଷ୍ଟ କରିବାକୁ ଚେଷ୍ଟା କରୁଛି। “

Related Posts