ସିଆଇଏସଏଫ ମହାନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ହେଲେ ସିବିଆଇ ମୁଖ୍ୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସିବିଆଇର ନୂତନ ନିର୍ଦ୍ଦେଶକ ହେଲେ ସିଆଇଏସଏଫ ମୁଖ୍ୟ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ସୁବୋଧ କୁମାର ଜୈସୱାଲ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା, କଂଗ୍ରେସର ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଷ୍ପତ୍ତି କ୍ରମେ ଆଇପିଏସ୍‌ ସୁବୋଧ କୁମାର ଜୈସୱାଲଙ୍କୁ ସିବିଆଇର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ହେଉଛନ୍ତି ସୁବୋଧ କୁମାର ଜୈସୱାଲ। ଆଜି ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ନୂଆ ନିଯୁକ୍ତି ସମ୍ପର୍କରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସିବିଆଇ ନିର୍ଦ୍ଦେଶକ ରେସ୍ ରେ ସୁବୋଧ କୁମାରଙ୍କ ବ୍ୟତୀତ ସଶସ୍ତ୍ର ସୀମା ବଳ(SSB) ର ଡିଜି କେଆର ଚନ୍ଦ୍ର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କଉମୁଦି ମଧ୍ୟ ଥିଲେ । କିନ୍ତୁ କମିଟି ସୁବୋଧଙ୍କ ନାଁ ଉପରେ ମୋହର ମାରିଛି। ସୁବୋଧ ମୁମ୍ବାଇ ପୁଲିସ କମିଶନ ଓ ମହାରାଷ୍ଟ୍ର ଡିଜିପି ଭାବେ କାର୍ଯ୍ୟ କରିଥିଲେ।

ଯଦିଓ ସିବିଆଇରେ ତାଙ୍କର ଅଭିଜ୍ଞତା ନାହିଁ ତଥାପି ବି ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିବା ବେଳେ ବହୁ ଚର୍ଚ୍ଚିତ ତେଲଗି ଦୁର୍ନୀତିର ତଦନ୍ତ କରିଥିଲେ। ଏହାପରେ ଏହି ତଦନ୍ତ ଭାର ସିବିଆଇ ନିଜ ହାତକୁ ନେଇଥିଲା। ଏହି ସମୟରେ ସେ ଏସ୍‌ଆରପିଏଫ ମୁଖ୍ୟ ଥିଲେ।ସେ ମହାରାଷ୍ଟ୍ର ଏଟିଏସ୍‌ ଓ ଦୀର୍ଘ ଦଶନ୍ଧି ଧରି RAWରେ କାମ କରିଥିଲେ। ସେ ବିଜେପିର ଦେବେନ୍ଦ୍ର ଫଡନାଭିସ୍ ସରକାର ସମୟରେ ମହାରାଷ୍ଟ୍ରକୁ ଫେରିଥିଲେ ଏବଂ ଜୁନ୍ 2018 ରେ ତାଙ୍କୁ ମୁମ୍ବାଇର ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା। ପରେ ସେ ମହାରାଷ୍ଟ୍ରର ଡିଜିପି ଭାବରେ କାର୍ଯ୍ୟ କରିଥିଲେ। ଏଲଗାର ପରିଷଦ ଓ ଭୀମା କୋରେଗାଓଁ ହିଂସାର ତଦନ୍ତ ପ୍ରଥମେ ଜୈସୱାଲ କରିଥିଲେ। ତା’ପରେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯାଇଥିଲା।

Related Posts