ତିନି ତଲାକ ସଂକ୍ରାନ୍ତୀୟ ମାମଲା ରୁଜୁ ପାଇଁ କେନ୍ଦ୍ରର ପରାମର୍ଶ

ସତ୍ୟପାଠ ବ୍ୟୁରୋ : ତିନି ତଲାକ ସଂକ୍ରାନ୍ତୀୟ ମାମଲା ଗୁଡିକ ଥାନାରେ କିଭଳି ସହଜରେ ରୁଜୁ ହୋଇପାରିବ ସେନେଇ ରାଜ୍ୟ ସରକାର ଉପଯୁକ୍ତ ନିର୍ଦ୍ଦେଶନାମା ଜାରୀ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମୁସ୍ଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ଥିବା ଏହି ଅଧ୍ୟାଦେଶକୁ କାର‌୍ୟ୍ୟକାରୀ ପାଇଁ କେତେକ ରାଜ୍ୟ ସ୍ଥିର କରିପାରୁ ନଥିବାରୁ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି । ସ୍ୱରାଷ୍ଟ୍ର ମନ୍ତ୍ରାଳୟର ମହିଳା ସୁରକ୍ଷା ନିର୍ଦ୍ଦେଶକ ଅନିଲ ସୁବ୍ରମଣ୍ୟମ ଏ ସଂକ୍ରାନ୍ତରେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି ।

କେନ୍ଦ୍ର ସରକାର ଏହି ଅଧ୍ୟାଦେଶକୁ ଦୁଇ ଥର ଘୋଷଣା କରିଛନ୍ତି । ଅଧ୍ୟାଦେଶ ଅନୁଯାୟୀ ବିବାହିତା ମୁସ୍ଲିମ୍ ମହିଳାଙ୍କୁ ତିନିଥର ତଲାକ କହି ଛାଡପତ୍ର ଦେବା ବେଆଇନ୍ । ଏଭଳି କଲେ ସ୍ୱାମୀଙ୍କୁ ତିନିବର୍ଷ ପର‌୍ୟ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଅଧ୍ୟାଦେଶକୁ ବିଲ୍ରେ ପରବର୍ତ୍ତନ ଲାଗି ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଲୋକସଭାର ଅନୁମୋଦନ ପାଇବାପରେ ରାଜ୍ୟସଭାର ମଞ୍ଜୁରୀ ଅପେକ୍ଷାରେ ଅଛି । ସଂସଦୀୟ ଅନୁମତି ନମିଳିଲେ ପୁଣିଥରେ ଅଧ୍ୟାଦେଶ ଜାରି ହେବ ।

ଏହି ଅଧ୍ୟାଦେଶକୁ ଗତବର୍ଷ ଅଗଷ୍ଟରେ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଥିଲା । ଅଧ୍ୟାଦେଶରେ ଅପରାଧ ପାଇଁ ଜାମିନ ବିହୀନ ଗିରଫ ପରୱାନା ବ୍ୟବସ୍ଥା ଥିବାବେଳେ ଅଭିଯକ୍ତ ବିଚାର ପୂର୍ବରୁ ମାଜିଷ୍ଟ୍ରେଟଙ୍କ ନିକଟରେ ଜାମିନ ପାଇଁ ଆବେଦନର ବ୍ୟବସ୍ଥା ଥିଲା । ଏହା ଜାମିନ ବିହୀନ ହୋଇଥିବାରୁ ଥାନାରେ ଅଭିଯୁକ୍ତଙ୍କୁ ପୁଲିସ୍ ବେଲ୍ ଦେଇପାରିବ ନାହିଁ । କିନ୍ତୁ ମହିଳାଙ୍କ ପକ୍ଷ ଶୁଣିଲା ପରେ ତାଙ୍କ ସ୍ୱାମୀଙ୍କୁ ମାଜିଷ୍ଟ୍ରେଟ ବେଲ୍ ଦେଇପାରିବେ ବୋଲି ସରକାର କହିଥିଲେ ।

କେନ୍ଦ୍ର ସରକାର ଜୁନ୍ ୨୧ରେ ତିନ୍ ତଲାକ ଉପରେ ନୂଆ ବିଲ୍ ଲୋକସଭାରେ ଆଣିଥିଲେ । ସଂସଦର ଦୁଇ ଗୃହରେ ବିଲ୍ ପାଶ୍ ହେବାପରେ ଗତ ଫେବୃୟାରୀ ମାସରେ ପୂର୍ବ ସରକାର ସମୟରେ ଜାରି ଅଧ୍ୟାଦେଶ ବଦଳରେ ଏହାକୁ ଲାଗୁ କରାଯିବ ।

Related Posts