ଏମିତି ଚାଲିଛି ଅବକାରୀ ବିଭାଗ : ରାଜସ୍ୱ ବଢୁ କିନ୍ତୁ ପଦବୀ ଖାଲି ପଡୁ

ସତ୍ୟପାଠ ବ୍ୟୁରୋ : ଅବକାରୀ ରାଜସ୍ୱ ବଢ଼ାଇବାକୁ ଚିନ୍ତା । କିନ୍ତୁ ବିଭାଗରେ ପଦବୀ ଖାଲି ପଡିଛି ଯେମିତି କାହାର ଚିନ୍ତା ନାହିଁ । ୪ ହଜାର ୬୦୦କୋଟି ଟଙ୍କାର ରାଜସ୍ୱ ଦେବାକୁ ଯାଉଥିବା ଅବକାରୀ ବିଭାଗରେ ବହୁ ସଂଖ୍ୟାରେ ପଦବୀ ଖାଲି ପଡିଥିବା ଜଣାପଡିଛି ।

ସରକାରୀ ହିସାବ ମୁତାବକ ଅବକାରୀ ବିଭାଗ ଲାଗି ଥିବା ୩୧ଟି ସୁପରିଟେଣ୍ଡେଣ୍ଟ ପଦବୀ ମଧ୍ୟରୁ ୧୨ଟି ଖାଲିପଡିଛି । ୧୨ଟି ଜିଲ୍ଲାରେ ଅବକାରୀ ବିଭାଗର କେହି ମୁଖିଆ ନାହାନ୍ତି । ଏହା କେବେ ସୁଦ୍ଧା ପୂରଣ ହେବ ସେ ସଂକ୍ରାନ୍ତରେ କେହି କିଛି ନିର୍ଦ୍ଧିଷ୍ଟଭାବେ କହିପାରୁ ନାହାନ୍ତି । ସେହିପରି ଏହି ବିଭାଗଲାଗି ୩୪ଟି ଉପଅବକାରୀ ସୁପରିଟେଣ୍ଡଣ୍ଟ ପଦବୀ ଥିବାବେଳେ ସେଥିରୁ ବି ୯ଟି ଖାଲି ।

ଖାଲି ପଡିଥିବା ୧୨ଟି ଯାକ ଅବାକରୀ ସୁପରିଟେଣ୍ଡେଣ୍ଟ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ କରାଗଲେ ଡେପୁଟୀ ସୁପରିଟେଣ୍ଡେଣ୍ଟ ସ୍ତରରେ ଖାଲିସ୍ଥାନ ସଂଖ୍ୟା ୨୨କୁ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ଅବକାରୀ ଇନ୍ସପେକ୍ଟର ପାହ୍ୟାରେ ବି ୮ଟି ପଦବୀ ଖାଲିପଡିଛି । ସେହିପରି ୫୨ଟି ଅବକାରୀ ସବଇନ୍ସପେକ୍ଟର ଓ ୭୮ଟି ଏଏସ୍ଆଇ ପଦବୀ ମଧ୍ୟ ଖାଲି । ଏଏସ୍ଆଇରୁ ଅବକାରୀ ସୁପରିଟେଣ୍ଡେଣ୍ଟ ପର‌୍ୟ୍ୟନ୍ତ ଖାଲିଥିବା ସମସ୍ତ ପଦବୀ ପୂରଣ କରାଗଲେ ଅନ୍ୟୁନ ୧୭୦ଜଣ ଅବକାରୀ ଅଫିସର ପଦୋନ୍ନତି ପାଇପାରନ୍ତେ ।

କିନ୍ତୁ ପଦବୀ ଖାଲିହେବା ପୂର୍ବରୁ ଏହା କରାଯାଉନଥିବାରୁ ଅନେକ ଅଫିସର ଅବସରଗ୍ରହଣ କରୁଥିଲେ ମଧ୍ୟ ଚାକିରିକାଳର ଶେଷ ପଦୋନ୍ନତି ପାଇପାରୁ ନାହାନ୍ତି । ଅବକାରୀ ବିଭାଗର କ୍ଷେତ୍ରୀୟ ଦପ୍ତର ଗୁଡିକରେ ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି ଅବକାରୀ କନେଷ୍ଟବଳମାନେ । ଏଥିରେ ବି ୨୧୯ଟି ପଦବୀ ଖାଲି । ତେବେ ପଦବୀ ପୂରଣପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି । ଏହାଛଡା କ୍ଷେତ୍ରୀୟ ଦପ୍ତର ଗୁଡିକରେ ୧୫ଟି ହେଡ୍କ୍ଲର୍କ, ୬ଟି ସିନିୟର କ୍ଲର୍କ ଓ ୯ଟି ଜୁନିୟରକ୍ଲର୍କ ପଦବୀ ମଧ୍ୟ ଖାଲି ପଡିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଫଳରେ ଚୋରାମଦ ଧରପଗଡ ଠାରୁ ଆରମ୍ଭକରି ନିଶାଡିଙ୍କୁ ନିୟନ୍ତ୍ରଣ ଓ ଅବକାରୀ ମାମଲା ପରିଚାଳନା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।

Related Posts