
ନୂଆଦିଲ୍ଲୀ: ୧୬ ୟୁଟ୍ୟୁବ୍ ସମାଚାର ଚ୍ୟାନେଲ୍ ବ୍ଲକ କରିଛନ୍ତି କେନ୍ଦ୍ର ସରକାର। ଦେଶର ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ସମ୍ଵନ୍ଧ ଏବଂ ସାର୍ବଜନୀନ ବ୍ୟବସ୍ଥା ବିଷୟରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଉକ୍ତ ଚ୍ୟାନେଲ ଉପରେ କେନ୍ଦ୍ର ସରକାରଙ୍କ ଛାଟ ପଡ଼ିଛି । ଏଥିରେ ୧୦ ଭାରତୀୟ ଚ୍ୟାନେଲ୍ ହୋଇଥିବା ବେଳେ ୬ ପାକିସ୍ତାନ ଆଧାରିତ ଚ୍ୟାନେଲ୍ ରହିଛି। ଏହି ସବୁ ଚ୍ୟାନେଲର ମୋଟ୍ ଭ୍ୟୁଅରସିପ୍ ୬୮ କୋଟି ଥିଲା। ଆଇଟି ନିୟମ, ୨୦୨୧ ଆଧାରରେ ଜରୁରୀକାଳୀନ ଶକ୍ତିର ଉପଯୋଗ କରି ଏହାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍ କରାଯାଇଛି।
ମନ୍ତ୍ରଣାଳୟ ଅନୁଯାୟୀ, ଏହି ସବୁ ୟୁଟ୍ୟୁବ୍ ଚ୍ୟାନେଲ ଭାରତରେ ଅଶାନ୍ତି ସୃଷ୍ଟି କରିବା, ସାଂପ୍ରଦାୟିକ ବିଦ୍ଵେଷ ଏବଂ ସାର୍ବଜନୀନ ବ୍ୟବସ୍ଥା ବିଗାଡିବା ପାଇଁ ମିଥ୍ୟା ଖବର ପ୍ରଚାର କରୁଥିଲେ। ଏଥିରେ ଭିନ୍ନ ଭିନ୍ନ ସମୁଦାୟ ମଧ୍ୟରେ ମତଭେଦ ଏବଂ ଘୃଣାଭାବ ସୃଷ୍ଟି ହେବାର ବିପଦ ଥିଲା। ଏମିତି ସାମଗ୍ରୀ ସମାଜରେ ଉପଦ୍ରବ ଏବଂ ଦୁର୍ଭାବନା ସ୍ଥିତି ଉତ୍ପନ କରୁଥିଲା।
ସୂଚନାଯୋଗ୍ୟ, ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ସରକାର ସମୟ ସମୟରେ ଅନେକ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କରିଛନ୍ତି। ଗତ ଦିନରେ ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଆଧାରରେ ଜରୁରୀକାଳୀନ ଶକ୍ତିର ପ୍ରୟୋଗ କରି ୨୨ ୟୁଟ୍ୟୁବ୍ ଚ୍ୟାନେଲ୍, ୩ ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ୍ ଓ୍ଵେବସାଇଟ୍କୁ ବ୍ଲକ କରିଛନ୍ତି। ଏ ଯାଏଁ ବ୍ଲକ କରାଯାଇଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ପାଖରେ ମୋଟ୍ ୨୬୦ କୋଟି ଭ୍ୟୁଅରସିପ୍ ରହିଥିଲା ।