(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ” କୋଭିଡ୍ -19 ମହାମାରୀର ଦ୍ୱିତୀୟ ଲହର ସମୟରେ ଅମ୍ଳଜାନ ଅଭାବରୁ ଦେଶରେ କାହାର ମୃତ୍ୟୁ ହୋଇ ନାହିଁ। ରାଜ୍ୟ ସରକାର ମାନେ ଏ ସମ୍ପର୍କରେ କୌଣସି ତଥ୍ୟ କେନ୍ଦ୍ର ସରକାରଙ୍କୁ ଦେଇ ନାହାନ୍ତି। ” ସଂସଦରେ କେନ୍ଦ୍ର ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେବା ପରଠାରୁ ସାରା ଦେଶରେ ଏହାକୁ ନେଇ ଜୋରଦାର ଆଲୋଚନା ହେଉଛି।
କେନ୍ଦ୍ର ସରକାରଙ୍କ ଏହି ଦାବିକୁ କଂଗ୍ରେସ ନେତୃତ୍ୱାଧୀନ ଦୁଇଟି ରାଜ୍ୟ ସରକାର ଖଣ୍ଡନ କରିଛନ୍ତି । ରାଜସ୍ଥାନ ଏବଂ ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ସେମାନଙ୍କ ରାଜ୍ୟକୁ ସମ୍ପୃକ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇ ନାହିଁ । ଏବଂ ଅମ୍ଳଜାନ ଅଭାବ ହେତୁ ମେଡିକାଲରେ କୋଭିଡ ମୃତ୍ୟୁ ସଂଖ୍ୟା ରିପୋର୍ଟ କରାଯାଇ ନାହିଁ।
ସଂସଦରେ କେନ୍ଦ୍ର ସରକାରଙ୍କ ଏହି ବିବୃତ୍ତି ଆଧାରରେ ଉଭୟ ରାଜ୍ୟ ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ରାଜ୍ୟରୁ ସମ୍ପୃକ୍ତ ତଥ୍ୟ ସଂଗ୍ରହ କରାଯାଇ ନାହିଁ କେନ୍ଦ୍ର ସରକାର କେମିତି କହୁଛନ୍ତି ଯେ ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବରୁ କାହାର ବି ମୃତ୍ୟୁ ହୋଇନାହିଁ। ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କହିଛନ୍ତି ଯେ ରାଜ୍ୟରେ ଦ୍ୱିତୀୟ ତରଙ୍ଗ ସମୟରେ ଅଧିକାଂଶ ମୃତ୍ୟୁ ଅମ୍ଳଜାନ ଅଭାବରୁ ଘଟିଛି।
ମଙ୍ଗଳବାର ଦିନ ଏକ ଲିଖିତ ବିବୃତ୍ତିରେ କେନ୍ଦ୍ର ସରକାର ରାଜ୍ୟସଭାକୁ ସୂଚନା ଦେଇ କହିଛନ୍ତି ଯେ ଅମ୍ଳଜାନ ଅଭାବ ହେତୁ ରାଜ୍ୟଗୁଡିକ ମୃତ୍ୟୁ ବିଷୟରେ ବିଶେଷ ରିପୋର୍ଟ କରିନାହାଁନ୍ତି।
ଏହା ପରେ ଗୁରୁବାର ଦିନ ଟ୍ୱିଟ୍ କରି ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଗାଯାଇଥିବା ତଥ୍ୟରେ କେବଳ – ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା, କୋମୋରାବିଡିଟି ଯୋଗୁଁ ମୃତ୍ୟୁ, କୋମୋରାବିଡିଟି ବିନା ମୃତ୍ୟୁ ଏବଂ କୋମୋରବିଡିଟିର ପ୍ରକାର ସମ୍ପର୍କିତ ତଥ୍ୟ ମଗା ଯାଇଥିଲା। ସିଂ ଦେଓ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ଗୁଡିକ ଠାରୁ ବିନା ଯାଞ୍ଚ୍ କରି ଜାଣିଶୁଣି ସଂସଦକୁ ବିଭ୍ରାନ୍ତ କରିଛି।
ସିଂ ଦେଓ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଭାରତ ସରକାର କହୁଛନ୍ତି ଯେ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ହେତୁ କେହି ମରି ନାହାଁନ୍ତି, ସେମାନେ ବୋଧହୁଏ ଛତିଶଗଡକୁ ସୂଚାଇ ଦେଉଛନ୍ତି ଯେ ଏହା ହେଉଛି – ଅତିରିକ୍ତ ଅମ୍ଳଜାନ ଥିବା ରାଜ୍ୟ।