ଖଣି ଦୁର୍ନୀତିର ଏସ୍‌ଆଇଟି ତଦନ୍ତ ପ୍ରସଙ୍ଗରେ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଖଣି ଦୁର୍ନୀତି ଘଟଣାର ଏସ୍‌ଆଇଟି ତଦନ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏସ୍‌ଆଇଟି ତଦନ୍ତ ପ୍ରସଂଗକୁ ନେଇ ଦାୟର ମାମଲାରେ ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଆବେଦନକାରୀ ଚାହିଁଲେ ସେଠାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏତଦ୍ ବ୍ୟତୀତ ମାମଲାର ଶୁଣାଣିରେ ବିରାମ ଲଗାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍‌. ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୁଦର୍ଶନ ନାୟକ ଓ ପ୍ରଦୀପ୍ତ କୁମାର ଜେନାଙ୍କ ପକ୍ଷରୁ ଏ ସମ୍ପର୍କରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। 

ବେଆଇନ ଖଣି ଉତ୍ତୋଳନ ମାମଲାର ତଦନ୍ତ କରିବା ପାଇଁ ୨୨ ନଭେମ୍ବର ୨୦୧୦,ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏମ୍‌ବି ଶାହାଙ୍କ ଅଧ୍ୟକ୍ଷତାରେ କମିସନ ଗଠନ କରିଥିଲେ। ଏହି ଘଟଣାର ତଦନ୍ତ କରି କମିସନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ୨୦୧୭, ଅଗଷ୍ଟ ୨ରେ ସୁପ୍ରିମକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ କହିଥିଲେ। ଏହି କମିଟି ଓଡ଼ିଶା ସହିତ ଅନ୍ୟ ରାଜ୍ୟ ଗୁଡ଼ିକରେ ହୋଇଥିବା ବେଆଇନ ଖଣି ଉତ୍ତୋଳନ ପ୍ରସଂଗ ଏବଂ ଏହାର ପ୍ରତିଷେଧକ ବ୍ୟବସ୍ଥା ଉପରେ ପରାମର୍ଶ ଦେବେ ବୋଲି ସୁପ୍ରିମକୋର୍ଟ କହିଥିଲେ।

ଶାହା କମିସନ ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରି ଆବେଦନକାରୀ ଦର୍ଶାଇଥିଲେ ଯେ ରାଜ୍ୟରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତ‌ାରେ ଏକ ଏସ୍ଆଇଟି ଗଠନ କରାଯାଉ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବାବେଳେ ଅରୁଣ କୁମାର ବୁଦ୍ଧିଆ ସହାୟତା କରୁଥିଲେ।

Related Posts