
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କୋଭିଡ୍ ମହାମାରୀର ଦ୍ୱିତୀୟ ଲହରର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୨ଟି ବିରୋଧୀ ଦଳର ସଦସ୍ୟ ମିଳିତ ଭାବେ ଚିଠି ଲେଖି ୯ଟି ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ମାଗଣା ଟିକା, କେନ୍ଦ୍ରୀୟ ଭିସ୍ଟା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ, ନୂତନ କୃଷି ଆଇନ ରଦ୍ଦ ଆଦି ଅନ୍ତର୍ଭୁକ୍ତ । ଚିଠିରେ ଲେଖାଯାଇଛି ଯେ, “ଅତୀତରେ ଆମେ ଏକାକୀ ଏବଂ ମିଳିତ ଭାବରେ ବିଭିନ୍ନ ପଦକ୍ଷେପ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ଯାହା କେନ୍ଦ୍ର ସରକାର ଗ୍ରହଣ କରି କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜରୁରୀ ଅଟେ। ଦୁର୍ଭାଗ୍ୟବଶତଃ ଆପଣଙ୍କ ସରକାର ଏହି ସମସ୍ତ ପରାମର୍ଶକୁ ଅଣଦେଖା କରିଛନ୍ତି କିମ୍ବା ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ଦ୍ବାରା ସ୍ଥିତି ଆହୁରି ଜଟିଳ ହୋଇଛି। ” କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବ ଗୌଡା, ଏନସିପି ସୁପ୍ରିମୋ ଶରଦ ପାୱାର, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (ଶିବସେନା), ମମତା ବାନାର୍ଜୀ (ଟିଏମସି), ଏମ.କେ ଷ୍ଟାଲିନ (ଡିଏମକେ) ଏବଂ ହେମନ୍ତ ସୋରେନ (ଜେଏମଏମ) , ତେଜସ୍ୱୀ ଯାଦବ (ଆରଜେଡି), ଡି ରାଜା (ସିପିଆଇ) ଏବଂ ସୀତାରାମ ୟେଚୁରୀ (ସିପିଆଇ-ଏମ) ଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା (ଏନସି) ଏବଂ ଅଖିଳେଶ ଯାଦବ (ଏସପି) ମଧ୍ୟ ଏହି ପତ୍ରରେ ଦସ୍ତଖତ କରିଛନ୍ତି।
ବିରୋଧୀଙ୍କ ୯ ଟି ପରାମର୍ଶ ହେଉଛି …..
୧- ଘରୋଇ ଓ ଅନ୍ତର୍ଜତୀୟ ବଜାରରେ ଉପଲବ୍ଧ ହେଉଥିବା ସମସ୍ତ ସ୍ଥାନରୁ କେନ୍ଦ୍ର ସରକାର ଟିକା କିଣନ୍ତୁ।
୨- ତୁରନ୍ତ ମାଗଣା, ଦେଶବ୍ୟାପୀ ଜନ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରନ୍ତୁ।
୩- ଦେଶରେ ଘରୋଇ ଟିକା ଉତ୍ପାଦନକୁ ବୃଦ୍ଧି କରିବାକୁ ବାଧ୍ୟତାମୂଳକ ଲାଇସେନ୍ସ ଦିଆଯାଉ।
୪- ବଜେଟରେ ଆବଣ୍ଟିତ ହୋଇଥିବା ୩୫ ହଜାର କୋଟି ଟଙ୍କାକୁ ଟିକା ପାଇଁ ବ୍ୟବହାର କରାଯାଉ।
୫- ସେଣ୍ଟ୍ରାଲ ଭିସ୍ଟା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ସହ ଅମ୍ଳଜାନ ଏବଂ ଟିକା ପାଇଁ ସେହି ଟଙ୍କା ବ୍ୟବହାର କରାଯାଉ।
୬- ହିସାବ ବାହାରେ ରଖାଯାଇଥିବା ପିଏମ କେୟାର୍ସ ଭଳି ସମସ୍ତ ଘରୋଇ ଟ୍ରଷ୍ଟ ପାଣ୍ଠିରେ ଥିବା ଟଙ୍କାକୁ ଟିକାକରଣ, ଅମ୍ଳଜାନ ଏବଂ ମେଡିକାଲ ଉପକରଣ କିଣିବାରେ ବ୍ୟବହାର କରାଯାଉ ।
୭- ବେରୋଜଗାରଙ୍କୁ ମାସିକ ୬୦୦୦ ଟଙ୍କା ଦିଆଯାଉ ।
୮- ଅସହାୟ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉ।
୯- ଚାଷୀମାନଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ତୁରନ୍ତ କୃଷି ଆଇନ ରଦ୍ଦ କରାଯାଉ।

