କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାରଙ୍କ ନିଧନ : ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ, ଅର୍ଧନମିତ ରହିବ ଜାତୀୟ ପତାକା

କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାରଙ୍କର ନିଧନ ହୋଇଯାଇଛି । ମୋଦି ସରକାରରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଥିବା ଅନନ୍ତ କୁମାରଙ୍କୁ 59 ବର୍ଷ ବୟସ ହୋଇଥିଲା । ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ ।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କର ନିଧନ ହୋଇଯାଇଛି । ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ । ଅନନ୍ତ କୁମାର କ୍ୟାନସରରେ ପୀଡ଼ିତ ଥିଲେ । 59 ବର୍ଷ ବୟସରେ ଅନନ୍ତ କୁମାର ବେଙ୍ଗାଲୁରୁରେ ରବିବାର ରାତି 1ଟା 50 ମିନିଟ୍‌ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କଲେ । ଅନନ୍ତ କୁମାର କର୍ଣ୍ଣାଟକ ବେଙ୍ଗାଲୁରୁ ସାଉଥ୍‌ରୁ ସାଂସଦ ଥିଲେ । ସେ କେନ୍ଦ୍ର ସରକାରରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଥିଲେ ।
ଅନନ୍ତ କୁମାରଙ୍କର ପାର୍ଥିବ ଶରୀର ସକାଳ 9ଟାଠାରୁ ବେଙ୍ଗାଲୁରୁର ନ୍ୟାସନାଲ୍‌ କଲେଜ୍‌ ଗ୍ରାଉଣ୍ଡରେ ରଖାଯାଇଛି, ଯେଉଁଠି ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ତାଙ୍କ ପରଲୋକରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଷ୍ଟ୍ରୀୟ ଶୋକ ବି ପାଳନ କରାଯିବ ।

ଅନନ୍ତ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘ଅନନ୍ତ କୁମାରଙ୍କ ନିଧନ ଦେଶର ସାର୍ବଜନିକ ଜୀବନରେ ବହୁତ ବଡ଼ କ୍ଷତି, ଖାସ୍‌ କରି କର୍ଣ୍ଣାଟକର ଲୋକଙ୍କ ପାଇଁ । ତାଙ୍କ ପରିବାର, ସହଯୋଗୀ ଓ ଶୁଭେଚ୍ଛୁମାନଙ୍କୁ ମୋର ଶାନ୍ତ୍ବନା । ’

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ କରି ଅନନ୍ତ କୁମାରଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ ‘ଜଣେ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଓ ବନ୍ଧୁଙ୍କ ପରଲୋକରେ ମୁଁ ସ୍ତବ୍ଧ । ଅନନ୍ତ କୁମାରଙ୍କ ପରିବାର ଓ ସମର୍ଥକଙ୍କ ପାଇଁ ମୋର ସମବେଦନା । ସେ କର୍ଣ୍ଣାଟକରେ ଦଳକୁ ମଜବୁତ୍‌ କରିଥିଲେ ।’

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ନିଜର ଅତି ବରିଷ୍ଠ ସହଯୋଗୀ ଓ ବନ୍ଧୁଙ୍କ ଅସମୟରେ ନିଧନରେ ଦୁଃଖୀ ଓ ସ୍ତବ୍ଧ । ସେ ଜଣେ ଦକ୍ଷ ସାଂସଦ ଥିଲେ, ଯିଏ ନିଜ ପୁରା ସାମର୍ଥ୍ୟ ସହ ଦେଶର ଭରପୁର ସେବା କରିଛନ୍ତି । ଲୋକ କଲ୍ୟାଣ ପାଇଁ ତାଙ୍କର ମନୋବଳ ଓ ସମର୍ପଣର ଯେତେ ପ୍ରଶଂସା କଲେ ବି କମ୍‌ ହେବ । ଦୁଃଖର ଏହି ସମୟରେ ତାଙ୍କ ପରିଜନଙ୍କ ସହ ଅଛି ।
ଅନନ୍ତ କୁମାରଙ୍କ ପରଲୋକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ଅନନ୍ତ କୁମାରଙ୍କ ନିଧନରେ ମୁଁ ଦୁଃଖୀ । ତାଙ୍କ ପରିଜନ ଓ ବନ୍ଧୁଙ୍କୁ ମୋର ଶାନ୍ତ୍ବନା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଓମ୍‌ ଶାନ୍ତି ।’

Related Posts