ଶେଷ ବଲ୍‌ରେ ଜିତିଲା ଭାରତ;ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ 3-0ରେ ସିରିଜ୍‌ ପୋଛିନେଲା

ଶିଖର ଧଓ୍ଵନ-ରିଷବ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ

ଚେନ୍ନାଇ: ପ୍ରଥମେ ଟେଷ୍ଟ, ତା ପରେ ଦିନିକିଆ ଆଉ ଶେଷରେ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଟି-ଟ୍ବେଣ୍ଟି ସିରିଜ୍‌ ବି ଜିତି ନେଇଛି ଭାରତ । ଚେନ୍ନାଇରେ ରବିବାର ଖେଳାଯାଇଥିବା ଟି-ଟ୍ବେଣ୍ଟି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌କୁ ଶେଷ ବଲ୍‌ରେ ଜିତିବା ସହ ଭାରତ 3-0ରେ ସିରିଜ୍‌ ମଧ୍ୟ ପୋଛି ନେଇଛି । ମ୍ୟାଚ୍‌ର ହିରୋ ପାଲଟିଥିଲେ ଓପନର ଶିଖର ଧାଓ୍ଵନ, ଯିଏ ମାତ୍ର 61ଟି ବଲ୍‌ରୁ 10ଟି ଚୌକା ଓ 2ଟି ଛକ୍କା ସହାୟତାରେ ସଂଗ୍ରହ କରିଥିଲେ 92 ରନ୍‌ ।

ଓପନିଂରେ ଆସି ବିଜୟ ପକ୍କା କରିଥିବା ଶିଖର ଆଉ ମାତ୍ର ଗୋଟିଏ ବଲ୍‌ ବାକି ଥାଇ ଆଉଟ୍‌ ହୋଇଥିଲେ । ସେତେବେଳକୁ ମ୍ୟାଚ୍‌ ଡ୍ର ହୋଇ ସାରିଥିଲା । ଶେଷ ବଲ୍‌ରେ ବିଜୟ ପାଇଁ ମାତ୍ର ଏକ ରନ୍‌ ଆବଶ୍ୟକ ଥିବାବେଳେ, ଏକ ରନ୍‌ ସଂଗ୍ରହ କରିଥିଲେ ମନୀଷ ପାଣ୍ଡେ । ସେହି ବଲ୍‌ରେ ମଧ୍ୟ ନିଜ ଫଲୋ ଥ୍ରୋରେ ବୋଲର ଫିଲ୍‌ଡିଂ ମିସ୍‌ କରିବାରୁ ଭାରତ ବିଜୟୀ ହୋଇଥିଲା । ଶିଖରଙ୍କ ସହ ଭାରତୀୟ ବିଜୟରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲେ ୱିକେଟ୍‌କିପର ବ୍ୟାଟସ୍‌ମ୍ୟାନ୍‌ ରିଷବ ପନ୍ଥ । ଯିଏ ୩୮ଟି ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ 58 ରନ୍‌ କରିଥିଲେ । ଭାରତ 6 ୱିକେଟ୍‌ରେ ବିଜୟୀ ହୋଇଥିଲା ।

୧୮୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ସଅଳ ଓପନର ତଥା କ୍ୟାପଟେନ୍‌ ରୋହିତ ଶର୍ମା(4ରନ୍‌) ଓ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ କେ ଏଲ୍‌ ରାହୁଲ(13)ଙ୍କୁ ହରାଇଥିଲା । କିନ୍ତୁ ଶେଷରେ ଶିଖର ଓ ଋଷବ ଦଳର ବିଜୟ ପକ୍କା କରିଥିଲେ । ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ବୋଲର କିମୋ ପଲ୍‌ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଓସାନ ଥୋମାସ ଓ ଫାବିଆନ୍‌ ଆଲେନ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ଚିପକ୍‌ ଷ୍ଟାଡିୟମ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌କୁ ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ । ଦୁହେଁ ପ୍ରଥମ 6 ଓଭର ମଧ୍ୟରେ ଦଳର ସ୍କୋର 50 ପାର୍‌ କରିଥିଲେ । କିନ୍ତୁ 51 ରନ୍‌ରେ ଦଳର ପ୍ରଥମ ୱିକେଟ୍‌ ହରାଇଥିଲା । ଇଣ୍ଡିଜ୍‌ ପକ୍ଷରୁ ନିକୋଲାସ ପୋରନ (୫୩ ରନ୍‌, ୨୫ ବଲ, ୪ ଚୌକା ଓ ୪ ଛକା) ଓ ଡାରେନ ବ୍ରାଭୋ (୪୩ ରନ୍‌, ୩୭ ବଲ୍‌, ୨ ଚୌକା ଓ ୨ ଛକା) ବିସ୍ଫୋରକ ବ୍ୟାଟିଂ କରିଥିଲେ । ଉଭୟ ମିଶି ୪ର୍ଥ ଓ୍ଵିକେଟ୍‌ ପାଇଁ ମାତ୍ର ୪୩ଟି ବଲରୁ ଅପରାଜିତ ୮୭ ରନ୍‌ର ଭାଗିଦାରୀ କରିଥିଲେ । ୱେଷ୍ଟଇଣ୍ଡିଜ ଶେଷ ୪ ଓଭରରେ ୪୯ ରନ୍‌ ଯୋଡ଼ିଥିଲା । ଫଳରେ ଦଳ 20 ଓଭରରେ 3 ୱିକେଟ୍‌ ହରାଇ 181ରନ୍‌ର ବଡ଼ ସ୍କୋର କରିଥିଲା । ଭାରତ ପକ୍ଷରୁ କେବଳ ଯଜୁବେନ୍ଦ୍ର ଚହଲ ଓ ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ସଫଳତା ପାଇ ନ ଥିଲେ ।

Related Posts