ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅଲପନଙ୍କୁ ଦିଲ୍ଲୀ ପଠାଇବାକୁ ମନା କଲେ ମମତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଏବଂ ବେଙ୍ଗଲ ସରକାରଙ୍କ ମଧ୍ୟରେ ଟଣାଓଟରା ସ୍ଥିତି ଉପୁଜିଛି। କେନ୍ଦ୍ର ଅଲପନଙ୍କୁ ଦିଲ୍ଲୀ ତଲବ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଠାଇବାକୁ ମନା କରି ଦେଇଛନ୍ତି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ଆଜି ଅଲପନଙ୍କୁ ଦିଲ୍ଲୀରେ ସକାଳ ଦଶଟା ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ବିଭାଗରେ ରିପୋର୍ଟ କରିବାକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଏଭଳି ଏକପାଖିଆ ନିଷ୍ପତ୍ତି ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ମେ ୨୪ ରେ, କୋଭିଡ ପରିଚାଳନା ତଥା ବାତ୍ୟା ରିଲିଫ କାର୍ଯ୍ୟକୁ ନଜରରେ ରଖି ଅଲପନଙ୍କ କାର୍ଯ୍ୟକଳ ତିନିମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଅନୁମୋଦନ କରିଥିଲା। କିଛି ଦିନ ପୂର୍ବରୁ ଅଲପନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇ ଏବେ ହଠାତ୍ ତାଙ୍କୁ ଦିଲ୍ଲୀ ଡକାଯାଇଛି। ହେଲେ ଦିଲ୍ଲୀ ଡାକିବାର କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ। ମମତା ବାନାର୍ଜୀ ପିଏମ୍ ମୋଦୀଙ୍କୁ ଲେଖିଥିବା ଚିଠିରେ ପଚାରିଛନ୍ତି ଯେ ମେ ୨୮ରେ କାଲାଇକୁଣ୍ଡାରେ ଅନୁଷ୍ଠିତ ବାତ୍ୟା ସମୀକ୍ଷା ବୈଠକ ସହିତ ଏହି ନିଷ୍ପତ୍ତିର କିଛି ସମ୍ପର୍କ ଅଛି କି? ମମତା ବାନାର୍ଜୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ନାହାନ୍ତି। କରୋନା ସଙ୍କଟ ଏବଂ ୟାସ ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗ ପାଇଁ ଏହା ଏକ ଘଡିସନ୍ଧି ମୁହୂର୍ତ୍ତ । ତେଣୁ ଏବେ ସେ ଅଲପନଙ୍କୁ ଦାୟିତ୍ୱରୁ ମୁକ୍ତ କରିପାରିବେନି। ତେଣୁ କେନ୍ଦ୍ର ସରକାର ତାଙ୍କ ବଦଳି ଆଦେଶର ପୁନର୍ବିଚାର କରନ୍ତୁ ବୋଲି ମମତା ବାନାର୍ଜୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

Related Posts