“ସମାଜ ବିଜ୍ଞାନରେ ସ୍ନାତକୋତ୍ତର ସତ୍ତ୍ୱେ ଦିନ ମଜୁରିଆ କାମ ବି ମିଳୁନି ” : କାମ ପାଇଁ ଟ୍ବିଟରରେ କଲେ ଅପିଲ୍

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ମହାମାରୀ ଆରମ୍ଭ ହେବା ପରଠାରୁ ଭାରତ ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି। ସ୍ବାସ୍ଥ୍ୟବ୍ୟବସ୍ଥା ଭୁଷୁଡି ପଡିଛି । ଲକଡାଉନ୍ ହେତୁ ଅନେକ ଲୋକ ଜୀବିକା ହରାଇଛନ୍ତି। ଭାରତର ସ୍ଥିତି ଏତେ ସଙ୍କଟାପନ୍ନ ଯେ ଲୋକେ ବଞ୍ଚିବା ପାଇଁ ଅକ୍ସିଜେନ, ବେଡ୍ ମାଗୁଥିଲେ। କିନ୍ତୁ ଏବେ ପେଟ ପୋଷିବା ପାଇଁ ଉଚ୍ଚଶିକ୍ଷା ହାସଲ କରିଥିବା ଯୁବକ ହତାଶ ହୋଇ ସୋସିଆଲ ମିଡିଆରେ କାମ ମାଗୁଛନ୍ତି ।  ରବିବାର ଦିନ ଟ୍ୱିଟରରେ ଜଣେ ଯୁବକ କୋଭିଡ୍ ପ୍ରତିବନ୍ଧକ ଯୋଗୁଁ କାମ ମିଳୁନଥିବାରୁ କାମ ପାଇଁ ନିବେଦନ କରିଛନ୍ତି। ସୋସିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସତ୍ତ୍ୱେ ପେଟ ପୋଷିବା ପାଇଁ କାମ ମିଳୁନଥିବାରୁ ଦିନ ମଜୁରିଆ ହୋଇ କାମ କରିବା ପାଇଁ ବାଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଯୁବକଙ୍କ ନାଁ ହେଉଛି ବିକାଶ ।

ସେ ଟ୍ବିଟ୍ କରି କହିଛନ୍ତି ଯେ, “ଦୟାକରି ମୋତେ କୌଣସି କାମ ଯୋଗାଇଦେବାରେ ସାହାଯ୍ୟ କରନ୍ତୁ। ଲକଡାଉନ୍ ହେତୁ ବଞ୍ଚିବା କଷ୍ଟସାଧ୍ୟ ହୋଇ ପଡିଛି । ଲକଡାଉନ୍ ପରଠାରୁ ମୋତେ ଦିନ ମଜୁରିଆ ବା ଶ୍ରମିକ କାମ ବି ମିଳୁନାହିଁ । ବର୍ତ୍ତମାନ ସମୟରେ ରୋଜଗାର ମିଳିବା ବହୁତ କଷ୍ଟସାଧ୍ୟ ହୋଇପଡିଛି। ଦିନ ମଜୁରିଆ ଭାବେ ମଧ୍ୟ କାମ ମିଳୁ ନାହିଁ। ଦୟାକରି ଖୋଜି ଦିଅନ୍ତୁ। “

  ସେ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି ଯେ , “ମୁଁ ଦିଲ୍ଲୀ ସ୍ଥିତ ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛି। ମୁଁ ଡ୍ରାଇଭର ଭାବରେ ମଧ୍ୟ କାର୍ଯ୍ୟ କରିପାରିବି। ଯଦି କୌଣସି କାମ ମିଳିଯାଏ ତେବେ ବହୁତ ସହାୟକ ହେବ। ଧନ୍ୟବାଦ।” ସେ ତାଙ୍କ ରିଜ୍ୟୁମ୍ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ସେ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଇଂରାଜୀ ସାହିତ୍ୟରେ M.A କରୁଛନ୍ତି। ଏହି ପୋଷ୍ଟରେ ଶତାଧିକ ଲୋକ ପ୍ରତିକ୍ରିୟା ଦେଇଛନ୍ତି।  କେତେକ ସାହାଯ୍ୟର ହାତ ବଢ଼ାଇଥିବା ବେଳେ ଅନ୍ୟମାନେ ତାଙ୍କୁ “ଦୃଢ ରହିବାକୁ” କହିଥିଲେ। ଜଣେ ୟୁଜର ଲେଖିଛନ୍ତି ଯେ , ” ପ୍ରକୃତରେ ଏହା ଅତ୍ୟନ୍ତ ହୃଦୟ ବିଦାରକ ବିଷୟ । ମୁଁ ଦୁଃଖିତ ଯେ ଆପଣ ଏଭଳି କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ମୁଁ ଆପଣଙ୍କ DM ରେ କିଛି ସମ୍ପର୍କ ବିବରଣୀ ପଠାଇଛି । ଦୟାକରି ଯାଞ୍ଚ କରନ୍ତୁ। ମୁଁ ଆଶା କରୁଛି ଖୁବ ଶୀଘ୍ର ସବୁକିଛି ଠିକ୍ ହୋଇଯିବ। ଆପଣ ଏକୁଟିଆ ନୁହଁନ୍ତି ! ଦୃଢ ହୁଅନ୍ତୁ। ଆପଣ  ଜଣେ ଯୋଗ୍ୟ ବ୍ୟକ୍ତି ! ” ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ” ତୁମ ପାଇଁ ଆମେ ବହୁତ ଦୁଃଖିତ। ଆଶା କରୁଛି ତୁମେ ଖୁବ୍ ଶୀଘ୍ର ଭଲ ଚାକିରି ପାଇବ। ଚିନ୍ତା କର ନାହିଁ। ଭଲ ସମୟ ଆସିବ।” କରୋନାର ଦ୍ବିତୀୟ ଲହର ସହ ଭାରତ ଲଢେଇ କରୁଥିବା ବେଳେ ସଂକ୍ରମଣ ରୋକିବା ପାଇଁ ଅନେକ ରାଜ୍ୟରେ କଡା ପ୍ରତିବନ୍ଧ ଲଗାଯାଇଛି ।  ତେବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟ କଟକଣା ହଟାଇବା ପାଇଁ ବିଚାର କରୁଛନ୍ତି । ଗତ ବର୍ଷ ଭାରତରେ ଲକଡାଉନ୍ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବଡ ବଡ ସହରରୁ ପାଦରେ ଚାଲି ଚାଲି ନିଜ ଗାଁକୁ ଫେରିବାର ଚିତ୍ର ସାରା ଦୁନିଆ ଦେଖିଥିଲା ।  ତେବେ ଚଳିତ ବର୍ଷ ଦେଶବ୍ୟାପୀ ଲକଡାଉନ୍ ହୋଇ ନଥିଲେ ମଧ୍ୟ ଅନେକ ରାଜ୍ୟ ଲକଡାଉନ୍ ଲଗାଇଛନ୍ତି। ଫଳରେ ଅନେକ ଲୋକ ସେମାନଙ୍କ ଜୀବିକା ହରାଇଛନ୍ତି। 

Related Posts