ଭୁବନେଶ୍ୱର,୨୫/୧୨(ସତ୍ୟପାଠ ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ପରିକ୍ରମା କରିବା ପରେ ଆଜି ଓଡ଼ିଶା ଫେରିଛି ହକି ବିଶ୍ୱକପ୍। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଭିନ୍ନ ବାଦ୍ୟର ତାଳେ ତାଳେ ନୃତ୍ୟ, ସଙ୍ଗୀତ ସହିତ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫିକୁ ସ୍ୱାଗତ କରିବାକୁ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱର ମେୟର ସୁଲୋଚନା ଦାସ ବିମାନବନ୍ଦରରେ ପହଞ୍ଚିଥିଲେ।
ଏହାଛଡ଼ା କ୍ରୀଡ଼ା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ବି ବମାନବନ୍ଦରରେ ଉପସ୍ଥିତ ଥିଲେ। ସେଠାରେ ଟ୍ରଫିକୁ କ୍ରୀଡ଼ାମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଇଛି। କଡ଼ା ସୁରକ୍ଷା ଭିତରେ ଟ୍ରଫିକୁ ବାଇକ ରାଲିରେ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ଏହି ଟ୍ରଫି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଟ୍ରଫି ଟୁର୍ ଡିସେମ୍ବର ୫ରୁ ଆରମ୍ଭ ହେଇ ଦେଶର ବିଭିନ୍ନ ସହର ଦେଇ ପୁଣି ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଛି। ଏହା ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଯାଇଥିଲା।
ତେବେ ଆସନ୍ତା ଜାନୁଆରୀ ୧୩ ତାରିଖରେ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଏକ ନିଷ୍ପତ୍ତି ଦେଶର ସମସ୍ତ ହକି ପ୍ରେମୀଙ୍କୁ ଉତ୍ସାହିତ କରିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି।
