ଝିଅର ଶବକୁ ବାପା କାରରେ ନେବା ଘଟଣାରେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆମ୍ବୁଲାନ୍ସ ଡ୍ରାଇଭର ଅଧିକ ଟଙ୍କା ଚାର୍ଜ କରିବାରୁ ଝିଅର ଶବକୁ କାର୍ ରେ ସିଟ୍ ବେଲ୍ଟ୍ ଲଗାଇ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଦୁର୍ଭାଗ୍ଯଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନହୁଏ ସେଥିପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍ ର ଦ୍ବିତୀୟ ଲହରରେ ରୋଗୀଙ୍କୁ ଚିକିତ୍ସା ପାଇଁ ରାଜସ୍ଥାନ ସରକାର ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ୍ବୁଲାନ୍ସ ଆସୁବିଧା ହେତୁ କୋଟା ଏବଂ ଆଲାୱାଡରେ ଦୁଇଜଣ କୋଭିଡ୍ ରୋଗୀଙ୍କ ପରିବାର ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ଦୁର୍ଭାଗ୍ୟଜନକ । ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନହୁଏ ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲୋଟ ସବୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଜିଲ୍ଲା ସ୍ତରୀୟ ୱାର ରୁମ୍ ରେ ପର୍ଯ୍ୟାପ୍ତ ସଂଖ୍ୟକ ଆମ୍ବୁଲାନ୍ସର ଉପଲବ୍ଧ ରଖିବା ତଥା ବ୍ଲକ ସ୍ତରରେ ଥିବା କୋଭିଡ କେୟାର ସେଣ୍ଟରରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଆମ୍ବୁଲାନ୍ସ ସେବା ଏପ୍ରିଲ 10 ରୁ କାର୍ଯ୍ୟକ୍ଷମ ହୋଇଛି ।

ମୃତ ବ୍ୟକ୍ତିଙ୍କ ମୃତଦେହକୁ ଡାକ୍ତରଖାନାରୁ ମଶାଣି ବା ଶବଦାହ ସ୍ଥଳକୁ ନେବା ପାଇଁ ରାଜ୍ୟ ସରକାର ମାଗଣା ସେବା ମଧ୍ୟ ବ୍ୟବସ୍ଥା କରିଛନ୍ତି ବୋଲି ଗେହଲୋଟ୍ ସୂଚନା ଦେଇଛନ୍ତି। ଏଥିପାଇଁ ରାଜସ୍ଥାନ ସରକାର ସ୍ଥାନୀୟ ସଂସ୍ଥା, ମ୍ୟୁନିସିପାଲିଟି କର୍ପୋରେସନ୍, ଏବଂ ପଞ୍ଚାୟତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା କଲେକ୍ଟରମାନଙ୍କୁ ମଧ୍ୟ ଏଥିପାଇଁ ଘରୋଇ ଆମ୍ବୁଲାନ୍ସ କିଣିବାକୁ ଅନୁମତି ଦେଇଛନ୍ତି । ଗେହଲୋଟ୍ ଟ୍ୱିଟ୍ କରି କହିଛନ୍ତି ଯେ ରାଜସ୍ଥାନ ସରକାର ମୃତକଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ହରିଦ୍ୱାର କିମ୍ବା ଅନ୍ୟ ଧାର୍ମିକ ସ୍ଥାନକୁ ଯିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ମାଗଣା ସେବା ପ୍ରଦାନ କରୁଛନ୍ତି । ସୂଚନାଯୋଗ୍ୟ ଯେ, କରୋନାରେ ପ୍ରାଣ ହରାଇଥିବା ଝିଅର ମୃତ ଦେହକୁ ନେଵାକୁ ୮୫ କିଲୋମିଟର ଦୂରତା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ୧୬ ରୁ ୩୫ ହଜାର ଟଙ୍କା ଚାର୍ଜ କରିବାରୁ ବାପା ନିଜେ ଡ୍ରାଇଭ କରି କୋଟା ଠାରୁ ଝାଲାୱାର ଯାଇଥିଲେ। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Related Posts